ନୂଆଦିଲ୍ଲୀ: ୟୁଜିସି ନେଟ୍ 2026 ପରୀକ୍ଷାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଇଂରାଜୀ, କମର୍ସ ଏବଂ ସୋସିଓଲୋଜି—ଏହି ତିନୋଟି ପ୍ରମୁଖ ବିଷୟର ପରୀକ୍ଷା ପୁନର୍ବାର କରାଯିବ। ପ୍ରଶ୍ନପତ୍ରକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ NTA ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲା। ତଦନ୍ତରୁ ଜଣାପଡିଛି ଯେ ତିନୋଟିଯାକ ବିଷୟର ପ୍ରଶ୍ନପତ୍ରରେ ତଥ୍ୟଗତ, ଟାଇପୋଗ୍ରାଫିକାଲ୍ ଏବଂ ଅନୁବାଦଗୁଡ଼ିକରେ ବହୁ ଭ୍ରମ ରହିଥିଲା। ଏହି ତଦନ୍ତ ରିପୋର୍ଟ ଆଧାରରେ NTA ପୁନଃ ପରୀକ୍ଷା କରାଇବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି।
ପୁନଃ ପରୀକ୍ଷା ସୂଚୀ ଅନୁଯାୟୀ, ଇଂରାଜୀ ପରୀକ୍ଷା ସେପ୍ଟେମ୍ବର ୯ ତାରିଖ ପ୍ରଥମ ଶିଫ୍ଟ (ସକାଳ ୯:୦୦ ରୁ ଦ୍ୱିପ୍ରହର ୧୨:୦୦ ଟା), କମର୍ସ ପରୀକ୍ଷା ସେପ୍ଟେମ୍ବର ୯ ତାରିଖ ଦ୍ୱିତୀୟ ଶିଫ୍ଟ (ଦ୍ୱିପ୍ରହର ୩:୦୦ ରୁ ସନ୍ଧ୍ୟା ୬:୦୦ ଟା) ଏବଂ ସୋସିଓଲୋଜି ପରୀକ୍ଷା ସେପ୍ଟେମ୍ବର ୧୦ ତାରିଖ ପ୍ରଥମ ଶିଫ୍ଟରେ (ସକାଳ ୯:୦୦ ରୁ ଦ୍ୱିପ୍ରହର ୧୨:୦୦ ଟା) ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନଙ୍କ ପାଇଁ ଆଶ୍ୱସ୍ତିର କଥା ହେଉଛି, ଏହି ତିନୋଟି ବିଷୟର ପରୀକ୍ଷା ଦେବାକୁ ଥିବା ଅଭିର୍ଥୀମାନଙ୍କଠାରୁ ଆଉ କୌଣସି ଅତିରିକ୍ତ ଶୁକ୍ଳ ବା ଫି' ନିଆଯିବ ନାହିଁ।
ଅନ୍ୟ ୮୪ଟି ବିଷୟର ଫଳାଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ, ଯାହାଫଳରେ ରି-ଏଗ୍ଜାମ୍ ପାଇଁ ମୂଳ ଫଳାଫଳ ପ୍ରକାଶନରେ କୌଣସି ବିଳମ୍ବ ହେବ ନାହିଁ। ଏହାସହ NTA ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପୁନଃ ପରୀକ୍ଷା ପରେ ଆସିଷ୍ଟାଣ୍ଡ ପ୍ରଫେସର ଓ PhD ଯୋଗ୍ୟତା ପାଇଁ ସିଟ୍ ସଂଖ୍ୟା କମିବ ନାହିଁ।
ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର କାରଣରୁ ଏହି ତିନୋଟି ବିଷୟର ପ୍ରୋଭିଜିନାଲ୍ ଆନସର୍ କି ପୂର୍ବରୁ ଜାରି କରାଯାଇ ନଥିଲା। ସୂଚନାଯୋଗ୍ୟ, ଜୁନ୍ ୨୨ ରୁ ୩୦ ମଧ୍ୟରେ UGC-NET ପରୀକ୍ଷା ହୋଇଥିଲା। ଅନ୍ୟପକ୍ଷରେ, NTA ଅନ୍ୟ ୮୪ଟି ବିଷୟ ପାଇଁ ଆନସର୍ କି ଜାରି କରିସାରିଥିବାବେଳେ ପରୀକ୍ଷାର୍ଥୀମାନେ ଅଗଷ୍ଟ ୧୮ ତାରିଖ ରାତି ୧୧:୫୯ ମିନିଟ୍ ପର୍ଯ୍ୟନ୍ତ ଏହା ବିରୁଦ୍ଧରେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆପତ୍ତି ଦାଖଲ କରିପାରିବେ।