ମା' ତାରିଣୀ ମନ୍ଦିର ରେ ସବୁବେଳେ ହିଁ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳେ। ଭକ୍ତମାନେ ଶ୍ରଦ୍ଧାର ସହ ମା' ଙ୍କୁ ନଡ଼ିଆ ଦେଇଥାନ୍ତି । ସେହିପରି ଲକ୍ଷ ଲକ୍ଷ ଭକ୍ତମାନେ ଦୂର ଦୂର ରୁ ଘଟଗାଁ ମା' ତାରିଣୀ ମନ୍ଦିର ରେ ନଡ଼ିଆ ପଠେଇଥାନ୍ତି । ପରବର୍ତ୍ତୀ ସମୟରେ ସେହି ନଡ଼ିଆ ଗୁଡ଼ିକୁ ନିଲାମ କରା ଯାଏ । ଏଥର ମା' ତାରିଣୀଙ୍କ ପାଖରେ ପଠା ଯାଇଥିବା ମାନସିକ ନଡ଼ିଆ 11 ଲକ୍ଷ ଟପିଲାଣି । ନଡ଼ିଆ ଗୁଡିକ ନିଲାମ ନ ହେଉଥିବାରୁ, ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ସୂଚନା ଅନୁଯାୟୀ, ମାନସିକ ନଡ଼ିଆ କିଣିବା ପାଇଁ ଚୟନ ହୋଇଥିବା ନିଲମଧାରୀଙ୍କୁ ହଇରାଣ କରି ବିଦା କରିଦେଇଥିଲା ଘଟଗାଁ ମା' ତାରିଣୀ ମନ୍ଦିରର କର୍ତ୍ତୃପକ୍ଷ । ନିଲମଧାରୀ ଜିତେନ୍ଦ୍ର ନାରାୟଣ ଜେନା ନଡ଼ିଆ ଗୋଟା କୁ 4 ଟଙ୍କା 65 ପଇସାରେ କିଣିବାକୁ ଚୁକ୍ତି କରିଥିଲେ । ସେ ଏହି ପ୍ରକ୍ରିୟାରୁ ହଟିବା ପରେ ଏବେ ନଡ଼ିଆ ଗୋଟା କୁ 3 ତାଙ୍କ 70 ପଇସାରେ କିଣିବାକୁ କେହି ରାଜି ହେଉନାହାନ୍ତି । ଫଳରେ ମନ୍ଦିରର ଗୋଦାମ ଗୃହରେ ରହି ଥିବା ମାନସିକ ନଡ଼ିଆର ସଂଖ୍ୟା 11 ଲକ୍ଷ ପାର କରିଥିବା ଜଣାପଡ଼ିଛି । ଆସନ୍ତା 8 ତାରିଖରେ ନଡ଼ିଆ ନିଲାମ ପାଇଁ ଦିନଧାର୍ଯ୍ୟ କରାଯାଇଥିଲା । ସେହି ଦିନରେ ନଡ଼ିଆ ଗୋଟାକୁ 4 ଟଙ୍କା 60 ପଇସାରେ ନିଲାମ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା । ଏ ନେଇ ନୋଟିସ ଜାରି କରାଯାଇଥିଲା । ହେଲେ ଗତକାଲି ପୁଣିଥରେ ଏହି ନୋଟିସକୁ ସଂଶୋଧିତ କରାଯାଇଛି । ସେଥିରେ ନଡ଼ିଆ ଗୋଟାକୁ 4 ଟଙ୍କା 60 ପଇସାରୁ ନିଲାମ ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି । ହେଲେ ଏଥିରେ ଚିନ୍ତା ଜନକ କଥାଟି ହେଉଛି କେହି 3 ଟଙ୍କା 70 ପଇସାରେ ନଡ଼ିଆ କିଣିବାକୁ ରାଜି ହେଉନଥିବା ବେଳେ ଲୋକେ କିପରି 4 ଟଙ୍କା 60 ପଇସାରେ ନଡ଼ିଆ କିଣିବେ ଏହାକୁ ନେଇ ପ୍ରଶ୍ନ ଉଠିଛି ।