ଏଣିକି ଏଟିଏମ୍ରୁ ବାହାରିବ ଚାଉଳ । ପୂର୍ବରୁ ସମସ୍ତେ ଏଟିଏମ୍ରୁ ଟଙ୍କା ଉଠାଉଥିବା ଶୁଣିଥିବେ ହେଲେ ଏବେ ଏଟିଏମ୍ରୁ ଆପଣ ଉଠାଇ ପାରିବେ ଚାଉଳ । ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ ଚାଉଳ ଏଟିଏମ୍ । ମଞ୍ଚେଶ୍ୱରସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍ । ଏହି ଚାଉଳ ଏଟିଏମ୍କୁ ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜଧାନୀରେ ଖୋଲିଥିବା ପ୍ରଥମ ଚାଉଳ ଏଟିଏମ୍ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି । ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏ ଚାଉଳ ଏହି ଏଟିଏମ୍ ରୁ ବାହାର କରିପାରିବେ । ତେବେ ଅନ୍ୟ ଜିଲ୍ଲାର ହିତାଧିକାରୀ ମଧ୍ୟ ଆସି ଭୁବନେଶ୍ୱରରେ ଥିବା ଚାଉଳ ଏଟିଏମ୍ରୁ ଚାଉଳ ନେଇପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
ଏହି ଏଟିଏମର ସୁବିଧା ହେଉଛି ଏହା ଲାଗୁ ହେବା ଦ୍ୱାରା ହିତାଧିକାରୀ ମାନେ ଆଉ ଡିଲର ପାଖରେ ଛିଡ଼ାହୋଇ ରହିବେ ନାହିଁ । ଏମିତି କି ଚୋରି ଏବଂ ଦଲାଲି ମଧ୍ୟ ବନ୍ଦ କରିବ ଏହି ଚାଉଳ ଏଟିଏମ୍ । ତେବେ ଏହି ଚାଉଳ ଏଟିଏମ୍ରୁ ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ଏହି ମେସିନରେ ବାୟୋମେଟ୍ରିକ, ରାସନ କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ୍ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍ରୁ ଟଙ୍କା ଉଠାଇବା ଭଳି ଚାଉଳ ବାହାର କରିପାରିବେ ।