ମୟୁରଭଞ୍ଜ: ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହ କରିବାକୁ କେନ୍ଦ୍ରକରି ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଶେଖ ଆଜାଦ୍ ହରଡ଼ଘଣାରେ ପଡ଼ିଛନ୍ତି । ସେ କୁଳିଅଣା ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ବିହାହ କରିବାକୁ ନିଷ୍ପତ୍ତି ନେଇଥିଲେ । ମଙ୍ଗଳବାର ବାରିପଦା କଚେରୀ ପରିସରରେ କୋର୍ଟ ବିବାହ କରୁଥିବାବେଳେ ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ସେନା ତାଙ୍କୁ ଧରି ବାରିପଦା ଟାଉନ ଥାନାରେ ପୁଲିସକୁ ଜିମା ଦେଇଥିଲେ । ଵିବାହିତା ମହିଳାଙ୍କୁ ବିଭିନ୍ନ ଆଳ ଦେଖାଇ ବିବାହ କରୁଥିବା ନେଇ ଅଭିଯୋଗ ହୋଇଛି I
ମହିଳା ଜଣକ ପୂର୍ବରୁ ବିବାହ କରିଥିବା ବେଳେ ଦୀର୍ଘ ଦିନହେଲା ତାଙ୍କ ସ୍ବାମୀଙ୍କ ଠାରୁ ଦୁରେଇ ରହୁଛନ୍ତି । ତାଙ୍କର ଏକ ୩ ବର୍ଷର ଝିଅ ମଧ୍ୟ ରହିଛି I ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଶେଖ ଆଜାଦ ମଧ୍ୟ ପୂର୍ବରୁ ବିବାହ କରିଥିବା ବେଳେ ମୁର୍ଶିଦାବାଦରେ ତାଙ୍କ ପତ୍ନୀ ସହ ଚାରି ସନ୍ତାନ ମଧ୍ୟ ରହିଛନ୍ତି I ଏନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ତଦନ୍ତ ଆରମ୍ଭ କରିଛି।