ଅନୁଗୋଳ: ସୋସିଆଲ ମିଡିଆ ପାଇଁ ରିଲ୍ ତିଆରି କରିବା ବେଳେ ଘଟିଛି ଅଘଟଣ। ରେଳ ସେତୁ ଉପରେ ଭିଡିଓ ସୁଟିଂ କରୁଥିବା ସମୟରେ ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀକୁ ଖସି ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ଯୁବକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ନିଖୋଜ ଯୁବକ ହେଲେ ସାମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗାଁର ଶୁଭ୍ରାଂଶୁ ପ୍ରଧାନ। ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଶୁଭ୍ରାଂଶୁ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳ ସେତୁକୁ ରିଲ୍ ଭିଡିଓ ସୁଟିଂ କରିବା ପାଇଁ ଯାଇଥିଲେ। ଭିଡିଓ ସୁଟିଂ ଚାଲିଥିବା ବେଳେ ସେ ହଠାତ୍ ଭାରସାମ୍ୟ ହରାଇ ସେତୁ ଉପରୁ ସିଧା ନଦୀକୁ ଖସି ପଡ଼ିଥିଲେ।
ଘଟଣା ଦେଖି ସାଙ୍ଗମାନେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ପରେ କାନିହା ଅଗ୍ନିଶମ ବାହିନୀ ଓ ସାମଲ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।
ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି ଚାଲିଥିଲେ ମଧ୍ୟ ଶୁଭ୍ରାଂଶୁଙ୍କ କୌଣସି ସନ୍ଧାନ ମିଳିନାହିଁ। ସୋମବାର ମଧ୍ୟ ଉଦ୍ଧାରକାରୀ ଦଳ ନଦୀର ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛନ୍ତି। ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି ଚାଲିଥିବା ପୁଲିସ ସୂଚନା ଦେଇଛି।
ଏହି ଘଟଣା ପୁଣିଥରେ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ କିମ୍ବା ଭିଡିଓ ସୁଟିଂ କରିବାର ବିପଦକୁ ସାମ୍ନାକୁ ଆଣିଛି। ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ଆଶାରେ ଜୀବନକୁ ବିପଦରେ ପକାଇବା ନାହିଁ ବୋଲି ସ୍ଥାନୀୟ ଲୋକମାନେ ଯୁବପିଢ଼ୀଙ୍କୁ ସଚେତନ ରହିବାକୁ ଆହ୍ୱାନ କରିଛନ୍ତି।