ଆଜି ବାଚସ୍ପତି ନିର୍ବାଚନ ପାଇଁ ବିଧାୟିକା ପ୍ରମିଳା ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳ ବିଜେଡି ବାଚସ୍ପତି ପ୍ରାର୍ଥୀ କରିଛି । ଆଉ କୌଣସି ଦଳର ପ୍ରାର୍ଥୀ ଦେଉନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ଓଡ଼ିଶା ବିଧାନସଭାର ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ହେବେ । ଆଜି ନାମାଙ୍କନ ଦାଖଲ ପୂର୍ବରୁ ଇସ୍ତାଫା ଦେଇଛନ୍ତି ପ୍ରମିଳା ମଲ୍ଲିକ ।
ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ । ତାଙ୍କରି ଅଧ୍ୟକ୍ଷତାରେ ବିଧାନସଭାର ମୈାସୁମୀ ଅଧିବେଶନ ଅନୁଷ୍ଠିତ ହେବ । ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିବେ । ୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ଏହାପରେ ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ପାତ୍ର ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଗତ ମେ’ ମାସରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ସେବେଠାରୁ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ । ବିଜେଡିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି। ସେହିଭଳି ବିଜେଡି ସରକାରରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡିର ଏହି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ।
ଅଧିକ ପଢନ୍ତୁ:-ହ୍ୱାଟ୍ସଆପ ଲିଙ୍କ କ୍ଲିକ୍ କରିବାରୁ ଆକାଉଣ୍ଟରୁ କଟିଗଲା ୯୦ ହଜାର