କନ୍ଧମାଳ : ଏକ ସମ୍ପୂର୍ଣ ଭିନ୍ନ ଓ ନୂଆ ଘଟଣାକ୍ରମରେ କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ମାଓବାଦୀଙ୍କୁ ବିରୋଧ କରାଯାଇଛି। ଜିଲ୍ଲାର ଆଦିବାସୀଙ୍କ ଛାମୁଆ ସଂଗଠନ କୋଟଗଡ କୁଇ ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର ଓ ମାଓବାଦୀଙ୍କୁ ଚେତାବନୀ ଦିଆଯାଇଛି। ଜିଲ୍ଲାର ନିରୀହ ସରଳ ଆଦିବାସୀଙ୍କୁ ପୋଲିସ ଇନଫର୍ମର କହି ମାଓ ସଂଗଠନ ହତ୍ୟା କରିବାକୁ ବିରୋଧ କରିଛି ସମାଜ। ଗାଁରେ ମାଓବାଦୀଙ୍କୁ ପସେଇ ଦେବୁ ନାହିଁ ଓ ଦୃଢ଼ ବିରୋଧ କରିବୁ ବୋଲି ପୋଷ୍ଟର ମାଧ୍ୟମରେ କହିଛି କୋଟଗଡ଼ କୁଇ ସମାଜ। କୋଟଗଡ ଥାନା ଅନ୍ତର୍ଗତ ରଡିଗୁମା, ବଣ୍ଡାପିପିଲିରେ ଲାଗିଛି ପୋଷ୍ଟର।
ତେବେ ମାଓବାଦୀଙ୍କ ଭୟରେ ଗାଁରେ ଯୁବକ ଯୁବତୀ ନ ରହି ଦାଦନ ଖଟିବାକୁ କେରଳ ଯାଉଛନ୍ତି। ଫଳରେ ଗାଁରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଛତିଶଗଡ ଅଞ୍ଚଳର ମାଓବାଦୀଙ୍କ ଯୋଗୁଁ ଅଞ୍ଚଳରେ ବିକାଶ ହେଉନଥିବା ଉଲ୍ଲେଖ ରହିଛି। ତେଣୁ ମାଓବାଦୀଙ୍କୁ ଚେତାବନୀ ଦେବାପାଇଁ ଏଭଳି ଏକ ଭିନ ପ୍ରୟାସ କରିଛି କୁଇ ସମାଜ।