ପଣା ସଂକ୍ରାନ୍ତି କେବେ ପାଳନ ହେବ ସେ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ବସିବା ପରେ ଏପ୍ରିଲ ୧୪ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା। ପୂର୍ବରୁ କିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଥିବା ବେଳେ ତାହା କିନ୍ତୁ ଗ୍ରହଣ କରାଯାଇ ନ ଥିବା ଜଣାଯାଇଛି ।
ସୂଚନା ଯୋଗ୍ୟ ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା । କିଛି ଗଣନାକାରୀ ୧୩ ତାରିଖ କହିଥିବା ବେଳେ କିଛି ଜଣ ଏପ୍ରିଲ ୧୪ରେ ପାଳନ ହେବ ବୋଲି କହିଥିଲେ । ତେବେ ଗଣନାକାରମାନେ ଏହା ଉପରେ ବିସ୍ତୃତ ଗଣନା କରି ଏପ୍ରିଲ ୧୪ରେ ହିଁ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ସ୍ପଷ୍ଟ କରିଛନ୍ତି । ଏଥିସହ ଚଳିତବର୍ଷ ଠାକୁରଙ୍କ ୧୩ ଦିନିଆ ଅଣସର ସହ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ମଧ୍ୟ ପଡୁଛି । ଏଥିଯୋଗୁ ଆସନ୍ତା କାର୍ତ୍ତିକ ପଞ୍ଚୁକରେ ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ ବୋଲି ଦଇତାପତି ସେବକ ସୂଚନା ଦେଇଛନ୍ତି । ସେହିପରି ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା, ନେତ୍ରୋତ୍ସବ, ନବଯୌବନ ବେଶ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ବୈଠକରେ ସ୍ପଷ୍ଟ ନିର୍ଣ୍ଣୟ ହୋଇଛି।
ଅଧିକ ପଢନ୍ତୁ :- ଐତିହାସିକ ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ