ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ଏହା ପାରାଦୀପ ଠାରୁ ଦକ୍ଷିଣ -ପୂର୍ବ ପ୍ରାୟ ୫୫୦ କିଲୋମିଟର, ବିଶାଖାପାଟଣାଠାରୁ ଦକ୍ଷିଣ ପୂର୍ବ ଦିଗରେ ୪୨୦ କିମି, ପାରାଦୀପଠାରୁ , ପଶ୍ଚିମବଙ୍ଗର ଦୀଘାଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିନରେ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି। ପ୍ରାଥମିକ ସ୍ତରରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ମିଳିଛି ।
ପରବର୍ତ୍ତୀ ସମୟରେ ଏହାର ଗତିପଥରେ ପରିବର୍ତ୍ତନ ହେବା ସହ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବା ସହ ନଭେମ୍ବର ୧୭ରେ ଏକ ଘୁର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗୁରୁବାରଠାରୁ ଝଡ଼ ପବନର ଘଣ୍ଟା ପ୍ରତି ବେଗ ୪୦ରୁ ୫୦ କିମି ରହିବ। ୧୬ ତାରିଖରୁ ୧୮ ତାରିଖ ଯାଏ ଘଣ୍ଟା ପ୍ରତି ୫୦ରୁ ୬୦ କିମି ଓ ଝଟକା ୭୦ କିମି ବେଗରେ ରହିବାର ସମ୍ଭାବନା ରହିଛି।ନଭେମ୍ବର ୧୮ତାରିଖ ସକାଳେ ବାଲେଶ୍ବର ଉପକୂଳ ଠାରୁ କିଛି ଦୂରରେ ରହିବ ଯେଉଁ ସମୟରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୫ କିଲୋମିଟର ରହିବାର ସମ୍ଭାବନା ରହିଛି ।
ଏହା ପ୍ରଭାବରେ ୧୬ ତାରିଖଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୬ ତାରିଖ ସକାଳ ସୁଦ୍ଧା ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ଏବଂ ବାଲେଶ୍ବର, ଯାଜପୁର, ଗଜପତି, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ, ମାଲକାନଗିରି, କୋରାପୁଟ, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଉପକୂଳ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଚେତାବନୀ ଦିଆଯାଇଛି। ତେବେ ଓଡ଼ିଶାର ସମସ୍ତ ବନ୍ଦରରେ ବିପଦ ସଙ୍କେତ ଜାରି କରାଯିବ ସହ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାପାଇଁ ବାରଣ କରାଯାଇଛି ।
ଅଧିକ ପଢନ୍ତୁ :ଆଜିଠାରୁ ରାଜ୍ୟରେ ବର୍ଷା ଜାରି