ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତାକାଳୀନ ଅଧିବେଶନ । ଏହା ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଶନିବାର ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଶୀତକାଳୀନ ଅଧିବେଶନକୁ ମଞ୍ଜୁରୀ ଦେଇଥିବା ସେ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆମେ ଏକ ସଫଳ ଅଧିବେଶନର ଆଶା କରୁଛୁ, ଯାହା ଗଣତନ୍ତ୍ରକୁ ଆହୁରି ମଜବୁତ କରିବ । ଲୋକଙ୍କ ଆକାଂକ୍ଷା ପୂରଣ କରିବା ଆମର କର୍ତ୍ତବ୍ୟ । ଉଲ୍ଲେଖନୀୟ ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଚାଲିଥିଲା । ଏହି ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାର ତତ୍କାଳୀନ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଇସ୍ତଫା ଦେଇଥିଲେ । ଗତ ଅଧିବେଶନରେ ଏସଆଇଆର ଓ ଅପରେସନ ସିନ୍ଦୂରକୁ ନେଇ ଗୃହରେ ଖୁବ ହଙ୍ଗାମା ହୋଇଥିଲା । ମୋଟ୍ ଅଧିବେଶନରରେ ୨୧ ବୈଠକ ହୋଇଥିଲା । ଏହି ସମୟରେ ରାଜ୍ୟସଭାରେ ୧୫ ଓ ଲୋକସଭାରେ ୧୨ ବିଲ୍ ପାରିତ ହୋଇଥିଲା ।
ତେବେ ଏଥର ଶୀତକାଳୀନ ଅଧିବେଶନ ଅନ୍ୟ ଅଧିବେଶନ ତୁଳନାରେ ଛୋଟ ହେବ । ଏହା ପରେ ଶୀଘ୍ର ବଜେଟ୍ ଅଧିବେଶନ ଆରମ୍ଭ ହୋଇଯିବ । ଏହା ପୂର୍ବରୁ ୨୦୧୩ରେ ଶୀତକାଳୀନ ଅଧିବେଶନ କେବଳ ୧୪ ଦିନ ଥିଲା । ଏହା ଡିସେମ୍ବର ୫ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଚାଲିଥିଲା । ହେଲେ ଏଥର ଅଧିବେଶନରେ ବିହାର ବିଧାନସଭା ନିର୍ବାଚନର ସ୍ୱର ଶୁଣିବାକୁ ମିଳିପାରେ । ଏହା ବାଦ୍ ଏସଆଇଆର ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇପାରେ ।
Also read: ବିଜେପିକୁ କେବେ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ? ବଡ ଅପଡେଟ୍ ଦେଲେ ରାଜନାଥ ସିଂ