ନୂଆଦିଲ୍ଲୀ: ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କେବେ ହେବ ? କାହାକୁ ଦିଆଯିବ ଦଳର ଗୁରୁ ଦାୟିତ୍ୱ ? ଏହାକୁ ନେଇ ଦୀର୍ଘ ସମୟ ହେବ ପ୍ରଶ୍ନ ଉଠି ଆସିଛି । ବିହାର ନିର୍ବାଚନ ସମୟରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ବିହାର ନିର୍ବାଚନ ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଯିବ ।
ସେ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ବିଜେପି ଓ ଆରଏସଏସ ମଧ୍ୟରେ କୌଣସି ମତଭେଦ ରହିଛି । ନ୍ୟୁଜ-୧୮କୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ କହିଛନ୍ତି ଆରଏସଏସ ବିଜେପିର ରାଜନୈତିକ ମାମଲାରେ ହସ୍ତକ୍ଷେପ କରେ ନାହିଁ ।
ରାଜନାଥ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୧୬୦ରୁ ଅଧିକ ସିଟ୍ ଜିତିବ । ନୀତିଶ କୁମାରଙ୍କ ନେତୃତ୍ୱରେ ନିଶ୍ଚିତ ଭାବେ ସରକାର ଗଠନ ହେବ । ଆମର ଜନସଭାରେ ମତଦାତାଙ୍କ ଉତ୍ସାହ ଦେଖିବାକୁ ମିଳିଛି । ତେଣୁ ମୁଁ କହି ପାରିବି ଯେ, ନିଶ୍ଚିତ ରୂପେ ଆମେ ନିର୍ବାଚନ ଜିତିବୁ ଏବଂ ସରକାର ଗଢିବୁ । ଆଉ ନୀତିଶ କୁମାର ହିଁ ଆମର ମୁଖ୍ୟମନ୍ତ୍ରୀ ହେବେ । କାରଣ ତାଙ୍କ ନେତୃତ୍ୱରେ ଆମେ ନିର୍ବାଚନ ଲଢୁଛୁ ।
ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି ଯେ, ବିହାର ନିର୍ବାଚନରେ ରଣନୈତିକାରରୁ ନେତା ପାଲଡିଥିବା ପ୍ରଶାନ୍ତ କିଶୋରଙ୍କ କୌଣସି ପ୍ରଭାବ ପଡିବ ନାହିଁ । ପ୍ରଶାନ୍ତ କିଶୋର କାରକ ସେତେ ମହତ୍ୱପୂର୍ଣ୍ଣ ନୁହେଁ । କାରଣ ମତଦାତା ବେଶ ଭାବେ ଜାଣିଛନ୍ତି ଯେ, ନିର୍ବାଚନ କିଏ ଲଢୁଛି । ସେମାନେ ଜାଣିଛନ୍ତି ଯେ, ଜନ ସୂରାଜ ପାର୍ଟି ଗୋଟିଏ ବି ସିଟ୍ ଜିତି ପାରିବ ନାହିଁ ।
Also read: ବିହାର ନିର୍ବାଚନ: ୧ମ ପର୍ଯ୍ୟାୟରେ ବଢ଼ିଛି ମତଦାନ, ଆସିଲା ଅନ୍ତିମ ତଥ୍ୟ