ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନର ଅନ୍ତିମ ତଥ୍ୟ ବିହାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଛି । ଚଳିତ ବର୍ଷ ୧ମ ପର୍ଯ୍ୟାୟରେ ୬୫.୦୮ ପ୍ରତିଶତ ମତଦାନ ହୋଇଛି । ୨୦୨୦ରେ ୫୭.୨୯ ପ୍ରତିଶତ ହୋଇଥିବାବେଳେ ୨୦୨୪ରେ ୫୬.୨୮ ପ୍ରତିଶତ ମତଦାନ ହୋଇଥିଲା । ଅର୍ଥାତ୍ ୨୦୨୫ରେ ୭.୭୯ ପ୍ରତିଶତ ଅଧିକ ମତଦାନ ହୋଇଛି ।
ନିର୍ବାଚନ କମିଶନ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯାଞ୍ଚ ପ୍ରକ୍ରିୟା ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନିୟମ ଅନୁଯାୟୀ ସଫଳତାର ସହ ସମାପ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ହୋଇଥିଲା । ମହିଳା, ଯୁବପିଢ଼ି, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟରଙ୍କ ଦ୍ୱାରା ଉଲ୍ଲେଖନୀୟ ଅଂଶଗ୍ରହଣ ରିପୋର୍ଟ କରିଛନ୍ତି । ସମସ୍ତ ଜିଲ୍ଲାରେ ମୋଟ ୮୩ ଜଣ ପ୍ରାର୍ଥୀ ଏବଂ ୩୮୫ ଜଣ ନିର୍ବାଚନ ଏଜେଣ୍ଟ ଯାଞ୍ଚରେ ଅଂଶଗ୍ରହଣ କରିଥିଲେ । କୌଣସି ପ୍ରତିକୂଳ ରିପୋର୍ଟ ହସ୍ତଗତ ହୋଇନଥିବାରୁ କୌଣସି ମତଦାନ କେନ୍ଦ୍ରରେ ପୁନଃ ମତଦାନର ଆବଶ୍ୟକତା ନାହିଁ ।
ସେହିପରି ଭୋଟଦାନରେ ବ୍ୟବହୃତ ସମସ୍ତ ଇଭିଏମ୍ ମେସିନ୍, ବାଲଟ୍ ୟୁନିଟ୍, ନିୟନ୍ତ୍ରଣ ୟୁନିଟ୍ ଏବଂ ଭିଭିପାଟ୍ ମେସିନକୁ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ମଣ୍ଡଳୀର ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତଭାବେ ରଖାଯାଇଛି । ଇଭିଏମ୍ ମେସିନ ଉପରେ ନଜର ରଖିବାକୁ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ସହିତ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି । ମକ୍ ପୋଲ୍ ସମୟରେ ତ୍ରୁଟିପୂର୍ଣ୍ଣ ଥିବା ଏବଂ ସୁରକ୍ଷିତ ରହିଥିବା ଅନ୍ୟାନ୍ୟ ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହିତ ଅନ୍ୟ ସ୍ଥାନଗୁଡ଼ିକରେ ନିର୍ଦ୍ଦିଷ୍ଟ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଇଭିଏମ୍ ମେସିନର ତଦାରଖ ପାଇଁ ନିଜ ପ୍ରତିନିଧିଙ୍କୁ ନିଯୁକ୍ତ କରିବାକୁ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ।
ନଭେମ୍ବର ୧୧ରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଶେଷ ହେବା ପରେ ନଭେମ୍ବର ୧୪ରେ ଗଣତି କରାଯିବ ।