ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସହାରନପୁର ଭାରତୀୟ ଜନତା ପାର୍ଟୀର ଜଣେ ବରିଷ୍ଠ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ହେଲେ ବିଜେପିର ଅମ୍ବେହତା ବ୍ଲକ୍ ଉପାଧ୍ୟକ୍ଷ ତଥା ଟିଡୋଲି ଗ୍ରାମର ବାସିନ୍ଦା ଧର୍ମସିଂହ କୋରୀ (୬୫) । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି ।
ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ବ୍ଲକ୍ ସଭାପତି ତଥା ଧର୍ମସିଂହ ପୁଅ ସୁଶୀଲ କୋରି କହିଛନ୍ତି ଯେ ତାଙ୍କ ବାପା ଗତକାଲି ରାତିରେ ଘର ଅଗଣାରେ ଶୋଇଥିଲେ । ସକାଳେ ଯେତେବେଳେ ତାଙ୍କ ପତ୍ନୀ ସୁନୀତା ଶୁଶ୍ୱରଙ୍କ ଶୋଇବା ଖଟ ପାଖକୁ ଯାଇଥିଲେ ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଧର୍ମସିଂହଙ୍କୁ ଦେଖି ଚିତ୍କାର କରିଥିଲେ । ଏହା ପରେ ଦେଖାଯାଇଥିଲା କି ଧର୍ମସିଂହଙ୍କ ମୁଣ୍ଡରେ ଗୁଳି ବାଜିଛି ।
ଧର୍ମସିଂହଙ୍କ ବଡ଼ ପୁଅ ସୁମିତ କହିଛନ୍ତି ଯେ ରାତି ପ୍ରାୟ ୨ଟା ସମୟରେ ସେମାନେ କୁକୁର ଭୁକିବା ଏବଂ ବାଣ ଫୁଟିବା ପରି ଶବ୍ଦ ଶୁଣିଥିଲେ । କାରଣ ଗାଁରେ ଦୁଇଟି ବିବାହ ଉତ୍ସବ ଚାଲିଥିବାରୁ ସେ ଏହା ଉପରେ ଧ୍ୟାନ ଦେଇନଥିଲେ । ଏହାକୁ ଆତସବାଜି ଭାବି ପରିବାର ଲୋକେ ଘର ଭିତରେ ରହିଗଲେ । ସକାଳୁ ବାପାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ ।
ଏସପି ସାଗର ଜୈନ, ଫରେନସିକ୍ ଟିମ୍, ସନ୍ଧାନୀ କୁକୁର ସହିତ ପୋଲିସ ପହଁଚିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ହତ୍ୟା କିଏ କରିଛି ଏହା ପଛରେ ପ୍ରକୃତ କାରଣ କଣ ଜଣାପଡ଼ିନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।