ପୁରୀ: ବିଶୃଙ୍ଖଳା ଅଭିଯୋଗରେ ଶ୍ରୀମନ୍ଦିରରୁ ୩ ଜଣ ସେବାୟତ ନିଲମ୍ବିତ ହୋଇଛନ୍ତି। ଏନେଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ। ବାହାର କାଠ ନିକଟରେ ଯାତ୍ରୀଙ୍କ ଠାରୁ ବେନିୟମ ଭାବେ ଅର୍ଥ ଆଦାୟ ନେଇ ସେବାୟତଙ୍କୁ ନିଲମ୍ବନ କରାଯାଇଛି। ପରେ ଆଦାୟ ଟଙ୍କାକୁ ନେଇ ନିଜ ନିଜ ଭିତରେ ମାରପିଟ ତଥା ଗଣ୍ଡଗୋଳ ଘଟଣାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ଓ ଗରିମାକୁ ଗୁରୁତର ଭାବେ ପ୍ରଭାବିତ କରିଥିବାରୁ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ୨୧ (କ) ଧାରା ଅନୁଯାୟୀ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦୁଇ ମାସ ପାଇଁ ନିଲମ୍ବନ କରିଛନ୍ତି।
ଗତମାସରେ ଶ୍ରୀମନ୍ଦିରର ବାହାର କାଠ ନିକଟରେ ଯାତ୍ରୀମାନଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍ ହୋଇଥିଲେ। ଏନେଇ ୨ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି। ସେଇଭଳି ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାର କରିବାକୁ ପ୍ରରୋଚନା ଦେଇଥିବାରୁ ଜଣେ ସେବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହାସୁଆର ସେବକ ବେନା ମହାସୁଆରଙ୍କୁ ମଧ୍ୟ ଦୁଇ ମାସ ପାଇଁ ସେବାକାର୍ଯ୍ୟରୁ ନିଲମ୍ବନ କରିଛି ଶ୍ରୀମନ୍ଦିର ପ୍ରଶାସନ। ସେହିପରି ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାରକୁ ପ୍ରରୋଚନା କରିଥିବାରୁ ମହାସୁଆର ସେବକ ବେନା ମହାସୁଆରଙ୍କୁ ନିଲମ୍ବନ କରାଯାଇଛି।
ଅଧିକ ପଢନ୍ତୁ: ସରିଆସୁଛି ପ୍ରଚାର ଲଢେଇ; ଶେଷ ପର୍ଯ୍ୟାୟରେ ଜୋରଦାର ଉଦ୍ୟମ ଚଳାଇଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ