ନୂଆପଡ଼ା ଉପନିର୍ବାଚନ ପାଇଁ ସରିଆସୁଛି ପ୍ରଚାର ଲଢେଇ। ଶେଷ ପର୍ଯ୍ୟାୟରେ ଜୋରଦାର ଉଦ୍ୟମ ଚଳାଇଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀ। ଆଜି ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ପ୍ରଚାରକୁ ଓହ୍ଲାଇବେ। ଆସନ୍ତାକାଲି ପ୍ରଚାରର ଶେଷ ଦିନ। ଆସନ୍ତାକାଲି ଅପରାହ୍ଣ ୪ଟାରୁ ପ୍ରଚାର ବନ୍ଦ ହେବ। ଏହା ୧୧ ତାରିଖ ସନ୍ଧ୍ୟା ୬ଟା ୩୦ଯାଏ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ୍ କହିଛନ୍ତି। ଆସନ୍ତା ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ନିଆଯିବ। ଏଥିପାଇଁ ଆସନ୍ତକାଲି ଅପରାହ୍ଣ ୪ଟାରୁ ୪୮ ଘଣ୍ଟିଆ ସାଇଲେନ୍ସ ପିରିୟଡ ଆରମ୍ଭ ହେବ।
ଏହି ସମୟରେ ସମସ୍ତ ପ୍ରକାରର ପ୍ରଚାର, ସଭା, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେହିପରି ମିଡିଆ କଭରେଜ୍, ଟେଲିଭିଜନ୍ ଓ ଡିଜିଟାଲ୍ ପ୍ଲାଟଫର୍ମରେ ଏବଂ ରାଜନୈତିକ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏଥିସହ ଯେଉଁ ରାଜନୈତିକ କର୍ମୀମାନେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବାସିନ୍ଦା କିମ୍ବା ଭୋଟର ନୁହନ୍ତି ସେମାନଙ୍କୁ ପ୍ରଚାର ବନ୍ଦ ସମୟ ଆରମ୍ଭ ହେବା ପୂର୍ବରୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ଗତକାଲି ପୁଣି ପ୍ରଚାର ମଞ୍ଚରୁ ନିଜ ଅଭିଭାଷଣରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଠାଇଥିଲେ ପ୍ରାର୍ଥୀ ଚୋରି ଓ ବେଇମାନି ପ୍ରସଙ୍ଗ। ପ୍ରାର୍ଥୀ ଚୋରି କରି ଭୋଟରଙ୍କ ଦୃଦୟ ଜିତି ପାରିବେନି। ନୂଆପଡ଼ାବାସୀ ତାର ଉଚିତ୍ ଜବାବ ଦେବେ ବୋଲି ନବୀନ କହିଛନ୍ତି। ପୂର୍ବରୁ ଠିକ୍ ଏହି ପ୍ରସଙ୍ଗ ଉଠାଇଥିବା ନବୀନଙ୍କୁ କିନ୍ତୁ କୋମନାରେ ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରି ନବୀନଙ୍କ ‘ବେଇମାନୀ’ ଅଭିଯୋଗର ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ନବୀନଙ୍କୁ ପାଲଟା ପ୍ରଶ୍ନ କରି ମୋହନ ପଚାରିଥିଲେ, ବିଜେପୁରରେ ଯେତେବେଳେ କଂଗ୍ରେସ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା, ସେତେବେଳେ ଏହା କ’ଣ ଥିଲା? ବିଜେଡି ସରକାରରେ ଥିବା ବେଳେ କେତେଥର ବେଇମାନୀ କରିଛି, ତାର ହିସାବ ମାଗିଥିଲେ ମୋହନ। ସେପଟେ କଂଗ୍ରେସ ମଧ୍ୟ ସିଧାସଳଖ ଭୋଟରଙ୍କ ପାଖେ ପହଞ୍ଚି ଜୋରଦାର ପ୍ରଚାର କରୁଛି।
ଅଧିକ ପଢନ୍ତୁ: ନୂଆପଡ଼ାରେ ନବୀନଙ୍କ ରୋଡ ଶୋ’; ସ୍ବତନ୍ତ୍ର ବସରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଲେ ପ୍ରଚାର