ଭୁବନେଶ୍ୱର: ଆଜି ପୁଣି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ପ୍ରଚାର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସକାଳେ ନୂଆପଡ଼ା ଅଭିମୁଖେ ଯାତ୍ରା କରିବେ। ନୂଆପଡ଼ାରୁ ଖରିଆର ରୋଡ଼ ମଧ୍ୟରେ ମୁଖ୍ୟମନ୍ତ୍ରୀ ରୋଡ଼ ଶୋ’ କରିବା ସହ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମବେତ ଜନତାଙ୍କୁ ସମ୍ବୋଧିତ କରି ଜୟଙ୍କ ଲାଗି ଭୋଟ ମାଗିବେ।
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଏବେ ହେଭିଓ୍ବେଟ୍ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ୍ ଭିକ୍ଷା କରିଛନ୍ତି। ଗତକାଲି ଦ୍ବିତୀୟଥର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ଯାଇଥିଲେ। ତେଣୁ ଆଜି ପୁଣି ମୋହନ ମାଝୀ ନୂଆପଡ଼ା ଯାଇ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବେ। ଗୁରୁବାର ମଧ୍ୟ ମୁଖ୍ୟମନ୍ତ୍ରୀ ନୂଆପଡ଼ାର କୋମନା ଯାଇ ବିରାଟ ରୋଡ୍ ସୋ’ କରିଥିଲେ। ନବୀନ କହିଥିବା ବେଇମାନି ଶବ୍ଦର ସଜ୍ଞା ବୁଝାଇଥିଲେ ମୋହନ ମାଝୀ।
ଆସନ୍ତାକାଲି ପ୍ରଚାରର ଶେଷ ଦିନ ଥିବାରୁ ଏହାର ଦିନକ ପୂର୍ବରୁ ଅର୍ଥାତ୍ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ କରି ବିଜେପି ପ୍ରାର୍ଥୀ ଜୟଙ୍କୁ ଜିତାଇବାକୁ ନୂଆପଡ଼ାବାସୀଙ୍କୁ ଅନୁରୋଧ କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ସେପଟେ ନୂଆପଡାରେ ଡେରା ପକାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଭୋଟ୍ ଗ୍ରହଣ ହେବ ଏବଂ ୧୪ ତାରିଖରେ ଫଳାଫଳ ଆସିବ।
ଅଧିକ ପଢନ୍ତୁ: ସରିଆସୁଛି ପ୍ରଚାର ଲଢେଇ; ଶେଷ ପର୍ଯ୍ୟାୟରେ ଜୋରଦାର ଉଦ୍ୟମ ଚଳାଇଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ