ଭୁବନେଶ୍ୱର: ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଲକ୍ଷ୍ୟଭିତ୍ତିକ ନୀତିଗତ ସହାୟତା ଏବଂ ନିବେଶକମାନଙ୍କୁ ସୁବିଧା ପ୍ରଦାନ ମାଧ୍ୟମରେ ରାଜ୍ୟର ଶିଳ୍ପ ବିକାଶକୁ ନିରନ୍ତର ସୁଦୃଢ଼ କରିଚାଲିଛନ୍ତି । ସମୃଦ୍ଧ ଓଡ଼ିଶା ୨୦୩୬ର ଦୃଷ୍ଟିକୋଣ ହାସଲ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି ବୈଠକରେ ମୋଟ ୪,୫୭୩.୮୭ କୋଟି ଟଙ୍କାର ନିବେଶ ସହିତ ୨୩ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୨୨,୮୭୩ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି ।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସୂଚନା ପ୍ରଯୁକ୍ତି ଏବଂ ଆଇଟିଇଏସ୍, ସବୁଜ ଶକ୍ତି ଉପକରଣ, ବ୍ୟାଟେରୀ ଏବଂ ଶକ୍ତି ସଂରକ୍ଷଣ, ରସାୟନ, ବସ୍ତ୍ର ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଡାଉନଷ୍ଟ୍ରିମ୍, ଔଷଧ ଏବଂ ଚିକିତ୍ସା ଉପକରଣ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରୁଛି । ଏହା ଉଭୟ ପାରମ୍ପରିକ ଓ ଉଦୀୟମାନ କ୍ଷେତ୍ରରେ ନିବେଶ ଆକର୍ଷଣ ସହିତ ସନ୍ତୁଳିତ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି ।
ଏହି ପ୍ରକଳ୍ପଗୁଡ଼ିକ ଅନୁଗୋଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଏବଂ ସୁନ୍ଦରଗଡ଼ ସମେତ ୧୧ଟି ଜିଲ୍ଲାରେ ପ୍ରତିଷ୍ଠିତ ହେବ । ଏହା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପକୁ ଆହୁରି ବିସ୍ତାର କରିବା ସହିତ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ପ୍ରମୁଖ ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ସୂଚନା ପ୍ରଯୁକ୍ତି ଏବଂ ଆଇଟିଇଏସ୍ କ୍ଷେତ୍ରରେ, ଏଚସିଏଲ ଟେକ୍ନୋଲୋଜିଜ୍ ଲିମିଟେଡ ଖୋର୍ଦ୍ଧା ଜିଲ୍ଲାରେ ୭୩୦ କୋଟି ଟଙ୍କାର ନିବେଶରେ ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବ । ଏହା ଦ୍ୱାରା ୬,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପ ଓଡ଼ିଶାର ବିକାଶଶୀଳ ଆଇଟି ପରିବେଶକୁ ଆହୁରି ସୁଦୃଢ଼ କରିବା ସହିତ ରାଜ୍ୟକୁ ପ୍ରଯୁକ୍ତିଭିତ୍ତିକ ନିବେଶ ପାଇଁ ଏକ ଉଦୀୟମାନ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠିତ କରିବ ବୋଲି ଆଶା କରାଯାଉଛି ।
ସବୁଜ ଶକ୍ତି ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ,ଏସିଏମଇ କ୍ଲିନଟେକ୍ ସଲ୍ୟୁସନ୍ସ ପ୍ରା.ଲିଃ. ଗଞ୍ଜାମ ଜିଲ୍ଲାରେ ବାର୍ଷିକ ୩ ଗିଗାୱାଟ୍ ପର୍ଯ୍ୟନ୍ତ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଆଲ୍କାଲାଇନ୍ ଇଲେକ୍ଟ୍ରୋଲାଇଜର୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଦୁଇଟି ପର୍ଯ୍ୟାୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପରେ ୭୭୮ କୋଟି ଟଙ୍କାର ନିବେଶ ହେବ ଏବଂ ୪୮୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଜିଜିବି ବ୍ୟାଟେରୀ ଇଣ୍ଡିଆ ପ୍ରା. ଲିଃ. କଟକ ଜିଲ୍ଲାରେ ୨୦୨.୫୦ କୋଟି ଟଙ୍କାର ନିବେଶରେ ଏକ ଜିଙ୍କ୍ ଆନୋଡ୍ ବ୍ୟାଟେରୀ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୨୫୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହିତ, ଏନଭିରୋକେୟାର ଇନଫ୍ରାସଲ୍ୟୁସନ ପ୍ରା.ଲିଃ. ଅନୁଗୋଳ ଜିଲ୍ଲାରେ ୩୫୧ କୋଟି ଟଙ୍କାର ନିବେଶରେ ଅତିରିକ୍ତ ୧୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଗ୍ରାଉଣ୍ଡ-ମାଉଣ୍ଟେଡ୍ ସୋଲାର୍ ଫୋଟୋଭୋଲ୍ଟାଇକ୍ କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ ଦ୍ୱାରା ୬୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଓଡ଼ିଶାର ଅକ୍ଷୟ ଶକ୍ତି ପରିବେଶକୁ ଆହୁରି ସୁଦୃଢ଼ କରିବ ।
ବୈଠକରେ ବସ୍ତ୍ର ଏବଂ ପୋଷାକ କ୍ଷେତ୍ରରେ ୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ବୃହତ୍ ନିବେଶ ପ୍ରତିବଦ୍ଧତା ଦେଖିବାକୁ ମିଳିଛି । ଏସଏପିଏଲ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପୁରୀ ଜିଲ୍ଲାରେ ୨୫୪ କୋଟି ଟଙ୍କାର ନିବେଶରେ ଏକ ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୪,୫୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏସପିଏଲ ଇଣ୍ଡଷ୍ଟ୍ରିଜ୍ ଲିଃ ପୁରୀ ଜିଲ୍ଲାରେ ଆଉ ଏକ ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ୫୦ କୋଟି ଟଙ୍କା ନିବେଶ କରିବ, ଯାହା ଦ୍ୱାରା ୩,୦୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରିଚା ଗ୍ୱୋବାଲ ଏକସ୍ପୋର୍ଟସ୍ ପ୍ରା.ଲିଃ. ପୁରୀ ଜିଲ୍ଲାରେ ୮୪.୪୫ କୋଟି ଟଙ୍କାର ନିବେଶରେ ଏକ ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ ଏବଂ ୨,୫୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେହିପରି, ଆସ୍ଥା କଟପିନ୍ ପ୍ରା.ଲିଃ. ବଲାଙ୍ଗୀର ଜିଲ୍ଲାରେ ୧୨୪.୫୦ କୋଟି ଟଙ୍କାର ନିବେଶରେ ଏକ ବସ୍ତ୍ର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୩୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସାମଗ୍ରିକ ଭାବେ, ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବସ୍ତ୍ର ଏବଂ ପୋଷାକ କ୍ଷେତ୍ରକୁ ଉଲ୍ଲେଖନୀୟ ଭାବେ ସୁଦୃଢ଼ କରିବା ସହିତ ବ୍ୟାପକ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ରସାୟନ କ୍ଷେତ୍ରରେ, ଗ୍ରୋଇଂ ଟ୍ରି ଅଏଲ ଏବଂ ରିଫାଇନେରୀ ପ୍ରା.ଲିଃ. ନୂଆପଡ଼ା ଜିଲ୍ଲାରେ ୨୫୦ କୋଟି ଟଙ୍କାର ନିବେଶରେ ଏକ ସମନ୍ୱିତ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଏହି ୟୁନିଟ୍ରେ ସଲଭେଣ୍ଟ ଏକ୍ସଟ୍ରାକ୍ସନ୍, ତେଲ ବିଶୋଧନାଗାର, କାଜୁ ପ୍ରକ୍ରିୟାକରଣ, ଷ୍ଟାର୍ଚ୍ଚ ଭିତ୍ତିକ ଉତ୍ପାଦ, ଗୋ-ଖାଦ୍ୟ ଓ କୁକୁଡ଼ା ଖାଦ୍ୟ, ଫ୍ଲୋଟିଂ ଫିଡ୍, ଡିଷ୍ଟିଲେସନ୍ ୟୁନିଟ୍ ଏବଂ ୯ ମେଗାୱାଟ୍ କୋ-ଜେନେରେସନ୍ ପ୍ଲାଣ୍ଟ୍ ଅନ୍ତର୍ଭୁକ୍ତ ରହିବ । ଏହା ଦ୍ୱାରା ୧,୧୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଟ୍ରାନ୍ସପେକ୍ ଇଣ୍ଡଷ୍ଟ୍ରିଜ୍ ଲିଃ ଗଞ୍ଜାମ ଜିଲ୍ଲାରେ ୩୪୩ କୋଟି ଟଙ୍କାର ନିବେଶରେ ଏକ ସ୍ପେସିଆଲିଟି କେମିକାଲ୍ସ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୪୨୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତିରୁପତି ମାଇକ୍ରୋଟେକ୍ ପ୍ରା,ଲିଃ. ଯାଜପୁର ଜିଲ୍ଲାରେ ୭୦ କୋଟି ଟଙ୍କାର ନିବେଶରେ ଏକ ସମନ୍ୱିତ ରସାୟନ କମ୍ପ୍ଲେକ୍ସ ଏବଂ ଦୁର୍ଲଭ ମୃତ୍ତିକା ଖଣିଜ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୮୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି, କ୍ରେବ୍ସ ଇଣ୍ଟରନ୍ୟାସନାଲ ଲିଃ. ମୟୂରଭଞ୍ଜ ଜିଲ୍ଲାରେ ୬୮.୦୧ କୋଟି ଟଙ୍କାର ନିବେଶରେ ଏକ କ୍ରୋମିୟମ୍ କେମିକାଲ୍ସ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ, ଗ୍ରୋଇି ଟ୍ରି ଅଏଲ ରିଫାଇନେରୀ ପ୍ରା. ଲିଃ. କଟକ ଜିଲ୍ଲାରେ ୮୦ କୋଟି ଟଙ୍କାର ନିବେଶରେ ଏକ ଦୁଗ୍ଧଜାତ ଉତ୍ପାଦ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଏହା ଦ୍ୱାରା ୪୩୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ କୃଷି-ପ୍ରକ୍ରିୟାକରଣ କ୍ଷେତ୍ରରେ ମୂଲ୍ୟଯୁକ୍ତକୁ ଆହୁରି ସୁଦୃଢ଼ କରିବ ।
ଇସ୍ପାତ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ, ଶ୍ରୀ ମହାବୀର ଫେରୋ ଆଲଏଜ୍ ପ୍ରା.ଲିଃ. ସୁନ୍ଦରଗଡ଼ ଜିଲ୍ଲାରେ ୧୦୫ କୋଟି ଟଙ୍କାର ନିବେଶରେ ଗାଲଭାନାଇଜ୍ଡ କୋଟେଡ୍ ତାର ଏବଂ ଜିଙ୍କ୍-ଆଲୁମିନିୟମ୍ କୋଟେଡ୍ ତାର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆରଏଜି ଇଣ୍ଡଷ୍ଟ୍ରିଜ୍ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ୫୨ କୋଟି ଟଙ୍କାର ନିବେଶରେ ଷ୍ଟିଲ୍ କଏଲ୍ ସ୍ଲିଟିଂ, କଟ୍-ଟୁ-ଲେଙ୍ଗଥ ସିଟ୍, ଜିଆଇ ଫଲ୍ସ ସିଲିଂ ସେକ୍ସନ୍ ଏବଂ ଇଆର଼ଡବ୍ଲୁ ଷ୍ଟିଲ୍ ପାଇପ୍ ଓ ଟ୍ୟୁବ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୨୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଔଷଧ ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ, ଇଏଫଓ୍ୱାଇଓଏନଡିଏକ୍ସ ପ୍ରା.ଲିଃ. ଖୋର୍ଦ୍ଧା ଜିଲ୍ଲାରେ ୬୦ କୋଟି ଟଙ୍କାର ନିବେଶରେ ବାୟୋଟେକ୍ନୋଲୋଜି, ଔଷଧ, ବଲ୍କ ଡ୍ରଗ୍ସ ଏବଂ ଚିକିତ୍ସା ଉପକରଣ ଉତ୍ପାଦନ ପାଇଁ ଏକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଏହା ଦ୍ୱାରା ୫୫୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ମଧ୍ୟ ଏହି ବୈଠକରେ ଅନୁମୋଦନ ମିଳିଛି । ଟାଟା ଷ୍ଟିଲ୍ସ ଲିଃ. କେନ୍ଦୁଝର ଜିଲ୍ଲାରେ ୧୬୫.୩୦ କୋଟି ଟଙ୍କାର ନିବେଶରେ ବାର୍ଷିକ ୫ ଏମ୍ଟିପିଏ କ୍ଷମତା ବିଶିଷ୍ଟ ଏକ ରେଳ ସାଇଡିଂ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଲିଙ୍ଗରାଜ ଟ୍ରାନ୍ସଲଜିଷ୍ଟିକ୍ସ ପ୍ରା.ଲି. ସୁନ୍ଦରଗଡ଼ ଜିଲ୍ଲାରେ ୧୫୦ କୋଟି ଟଙ୍କାର ନିବେଶରେ ଏକ ଲଜିଷ୍ଟିକ୍ସ ପାର୍କ ଏବଂ ୱେୟାରହାଉସିଂ ସୁବିଧା ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି, ଶ୍ରୀ ଜୟବାଲାଜୀ ଆଗ୍ରୋ ପ୍ରଡକଟ୍ସ ପ୍ରା..ଲି., ଢେଙ୍କାନାଳ ଜିଲ୍ଲାରେ ୧୨୦ କୋଟି ଟଙ୍କାର ନିବେଶରେ ୫ ମେଗାୱାଟ୍ ରୁଫଟପ୍ ସୋଲାର୍ ପାୱାର୍ ପ୍ଲାଣ୍ଟ୍ ସହିତ ଏକ ସମନ୍ୱିତ ଲଜିଷ୍ଟିକ୍ସ ପାର୍କ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୨୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ଡାୟନ ରିଭରସାଇଡ୍ ଟାଉନସିପ୍ ପ୍ରା.ଲି. କଟକ ଜିଲ୍ଲାରେ ୨୭୫.୮୯ କୋଟି ଟଙ୍କାର ନିବେଶରେ ୩୦୦ ଶଯ୍ୟା ବିଶିଷ୍ଟ ଏକ ବହୁ-ବିଶେଷତା ହସ୍ପିଟାଲ୍ ପ୍ରତିଷ୍ଠା କରିବ । ଏହା ଦ୍ୱାରା ୯୪୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ।
ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ, ବିଶ୍ୱା ଏବଂ ଜିତ୍ ମଲଟି କମ୍ପ୍ଲେକ୍ସ ପ୍ରା.ଲି. କଟକ ଜିଲ୍ଲାରେ ୧୦୫.୨୨ କୋଟି ଟଙ୍କାର ନିବେଶରେ ଏକ ୫-ତାରକା ହୋଟେଲ୍ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୧୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜେଏଏସ୍ ଟାଓ୍ୱାର ଏଲଏଲପି ସମ୍ବଲପୁର ଜିଲ୍ଲାରେ ୮୫ କୋଟି ଟଙ୍କାର ନିବେଶରେ ଏକ ୫-ତାରକା ହୋଟେଲ୍ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୩୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି, ଶ୍ରୀକ୍ରିଷ୍ଣ ଏସଷ୍ଟେସ୍ ଏବଂ କନଷ୍ଟ୍ରକ୍ସନ୍ସ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ୭୦ କୋଟି ଟଙ୍କାର ନିବେଶରେ “କୃଷ୍ଣା ଲେକ୍ ଭ୍ୟୁ ରିସର୍ଟ” ନାମକ ଏକ ୫-ତାରକା ବିଳାସପୂର୍ଣ୍ଣ ରିସର୍ଟ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ୧୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୋଟ ୪,୫୭୩.୮୭ କୋଟି ଟଙ୍କାର ସମନ୍ୱିତ ନିବେଶ ଏବଂ ୨୨,୮୭୩ଟି ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ଥିବା ଏହି ୨୩ଟି ପ୍ରକଳ୍ପ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଓଡ଼ିଶାର ବଢ଼ୁଥିବା ଆକର୍ଷଣକୁ ପୁନଃପ୍ରତିପାଦିତ କରୁଛି । ସୂଚନା ପ୍ରଯୁକ୍ତି ଏବଂ ଉନ୍ନତ ଉତ୍ପାଦନ ଠାରୁ ଆରମ୍ଭ କରି ବସ୍ତ୍ର, ରସାୟନ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ଭିତ୍ତିଭୂମି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରକୁ ଏହି ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ କରୁଛି । ଏହା ଶିଳ୍ପ ବିକାଶ ପ୍ରତି ରାଜ୍ୟର ସନ୍ତୁଳିତ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ।
ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ ବ୍ୟବସ୍ଥା ସମୟସୀମା ଭିତରେ ଅନୁମୋଦନ ଏବଂ ସମନ୍ୱିତ କ୍ଲିୟାରାନ୍ସକୁ ସୁନିଶ୍ଚିତ କରି ନିବେଶ ପାଇଁ ନିରନ୍ତର ସୁବିଧା ପ୍ରଦାନ କରୁଛି । ଏହା ଦ୍ୱାରା ଶିଳ୍ପଗୁଡ଼ିକ ନିଜ ପ୍ରକଳ୍ପଗୁଡ଼ିକୁ ଦକ୍ଷତାର ସହିତ କାର୍ଯ୍ୟକାରୀ କରିପାରୁଛନ୍ତି । ସଦ୍ୟତମ ଅନୁମୋଦନଗୁଡ଼ିକ ଗୁଣାତ୍ମକ ନିବେଶ ଆକର୍ଷଣ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ‘ସମୃଦ୍ଧ ଓଡ଼ିଶା ୨୦୩୬’ର ଦୃଷ୍ଟିକୋଣ ଅନୁରୂପ ସମଗ୍ର ଓଡ଼ିଶାରେ ସମାବେଶୀ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।