୧୧ ମାର୍ଚ୍ଚ ୨୦୧୪, ଓଡ଼ିଶା ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷାର ମାନ୍ୟତା । କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ପରେ ସେବେଠାରୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଶାସ୍ତ୍ରୀୟ ଭାଷା ଉପଦେଷ୍ଟା କମିଟିର ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିଲା ।
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରରେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଏ । ଓଡ଼ିଆ ଭାଷା, ଆମର ଅସ୍ମିତା ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ ପ୍ରତିପାଦନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ସହିତ ଜିଲ୍ଲା ଓ ରାଜ୍ୟସ୍ତରରେ ସଭାସମିତି ଆୟୋଜନ, ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ଇତ୍ୟାଦିର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ହେଲେ ଏବେ ବି ଏହାକୁ ସଠିକ୍ ଭାବେ କାଯ୍ୟକାରୀ କରାଯାଉନାହିଁ ।
୨୦୧୬ରେ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ନେଇ ରାଜ୍ୟ ସରକାର ଅଧ୍ୟାଦେଶ ଜାରି କଲେ । ୨୦୧୭ରେ ଓଡ଼ିଆ ଭାଷା ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ହେଲେ ଏହି ଏବେ ଅଭିଯାନ ବାଟବଣା ହୋଇଛି । ସରକାରୀ ସ୍ତରରେ ଭାଷାକୁ ନେଇ ଅନେକ କାର୍ଯ୍ୟକ୍ରମ କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଉତ୍କର୍ଷ କେନ୍ଦ୍ର ଭାଷାର ପ୍ରଚାର ପ୍ରସାର ଦିଗରେ କାଯ୍ୟ କରୁଛି । ଏସବୁ ସ୍ୱତେ ସରକାରୀ ଓଡ଼ିଆରେ ହୋଇନାହିଁ । ପୂର୍ବରୁ ଯାହା ଥିଲା, ଏବେ ତାହା ନାହିଁ ସତ ବରଂ ଏଥିରେ ଶିଥିଳ ପଡ଼ିଛି । ସରକାରୀ ଚିଠି ଠୁ ଆରମ୍ଭ ବିଜ୍ଞପ୍ତି ସବୁ ଇଂରାଜୀ ଭାଷାରେ ହେଉଛି । କାଁ ଭା ଓଡ଼ିଆ ଦେଖିବାକୁ ମିଳୁଛି ।
ଏବେ ବି ସାହିତ୍ୟ ଏକାଡ଼େମୀରେ ଅନେକ ପୁରସ୍କାର ରହିଛି, ହେଲେ ଭାଷା ପାଇଁ କୌଣସି ପୁରସ୍କାର ନାହିଁ । ସେହିପରି ଭାଷା ବିଜ୍ଞାନ ଓଡ଼ିଶାରୁ ଲୋପ ପାଇଗଲାଣି । ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ତେବେ ଓଡ଼ିଶା ଶାସ୍ତ୍ରୀୟ ଭାଷା ମାନ୍ୟତା ଦିବସକୁ ନେଇ ବିଶିଷ୍ଠ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ କହିଛନ୍ତି, ଶାସ୍ତ୍ରୀୟ ମାନ୍ୟତା ଉତ୍ସବ ପାଳିଲେ ଲାଭ ନାହିଁ ବରଂ ଏହା ପାଇଁ କାମ କରିବାକୁ ପଡିବ ।