ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ଶୁଭ ଲଗ୍ନ ନିର୍ଘଣ୍ଟ କରାଯାଇଛି। ପରମ୍ପରା ଅନୁସାରେ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ତିଥିରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ବ୍ରହ୍ମପୁରା ମନ୍ଦିରରେ ସମ୍ବଲପୁର ସହରର ପଣ୍ଡିତ ମାନଙ୍କୁ ନେଇ ନୂଆଁଖାଇ ଶୁଭଲଗ୍ନ ଧାର୍ଯ୍ୟ ପାଇଁ ନିମନ୍ତ୍ରିତ କରାଯାଇଥାଏ । ଏଥିପାଇଁ ପଣ୍ଡିତ ମାନେ ପ୍ରଥମେ ବିଷ୍ଣୁ ସହସ୍ରନାମ ପାଠ କରିବାପରେ ସ୍ୱତନ୍ତ୍ର ପାଞ୍ଜିଗଣନା ଗଣନା ସହ ରାଶି ନକ୍ଷତ୍ର ସ୍ଥିତିକୁ ଦେଖି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଇଷ୍ଟଦେବୀ ମା ସମଲେଶ୍ଵରୀଙ୍କ ଠାରେ ଚଳିତ ବର୍ଷ ନୂଆଁଖାଇ ପାଇଁ ନବାଣ୍ଣ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ୮ ତାରିଖ ତୁଲା ଲଗ୍ନରେ ଦିବା ୯ ଟା ୧୨ ମିନିଟ ରୁ ୯ ଘଣ୍ଟା ୨୭ ମିନିଟ ମଧ୍ୟରେ ସମ୍ବଲପୁର ଇଷ୍ଟଦେବୀ ମା ସମଲେଶ୍ଵରୀ ଙ୍କ ଠାରେ ନବାନ୍ନ ଲାଗି କରାଯିବ।
ସେହିପରି ପରମ୍ପରା ଅନୁସାରେ ମା ସମଲେଶ୍ଵରୀ ଦେବୀଙ୍କ ଠାରେ ନବାନ୍ନ ଲାଗି ହେବାପରେ ଲୋକ ନିଜ ନିଜ ଘରେ ନୂଆ ଅନ୍ନ ଖାଇବାର ଅନନ୍ୟ ପରମ୍ପରା ରହିଆସିଛି । ତେବେ ନୂଆଁଖାଇର ଶୁଭଲଗ୍ନ ଧାର୍ଯ୍ୟ ପରେ ଏହି ଲଗ୍ନକୁ ମା ସମଲେଶ୍ଵରୀ ମନ୍ଦିରକୁ ଯାଇ ମନ୍ଦିର ପୂଜକ ଓ ଟ୍ରଷ୍ଟ ବୋର୍ଡକୁ ମଧ୍ୟ ପ୍ରଦାନ କରାଯାଇଥିଲା।