ଏବେ ନନ୍ଦନକାନନରେ ଦେଖିବାକୁ ମିଳିଛି ବଙ୍କା ଥଣ୍ଟିଆ ବଗ । ଏହି ବିଦେଶାଗତ ପକ୍ଷୀ ଏବେ ପର୍ଯ୍ୟଟକମାନଙ୍କ ମନୋରଞ୍ଜନର ଏକ ମାଧ୍ୟମ ସାଜିଛନ୍ତି । ସୂଚନା ଅନୁସାରେ , ଓଡିଶାକୁ ଛୁଇଁଛି ପହିଲି ଶୀତ ।
ଆଉ ଏହି ଶୀତରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଛନ୍ତି । ଦୀର୍ଘ ୨୪ ବର୍ଷ ପରେ ଆଫ୍ରିକୀୟ ସାକ୍ରେଡ୍ ଇବସ୍ ବା ଲମ୍ବା ଗୋଡ଼ ବିଶିଷ୍ଟ ବଙ୍କା ଥଣ୍ଟିଆ ବଗ ଦେଖିବାକୁ ମିଳିଛି । ଗତ କିଛି ଦିନ ହେଲା ଏହି ବିରଳ ପ୍ରଜାତିର ୪ ବଗଙ୍କୁ ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ପୋଖରୀ କୂଳରେ ବିଚରଣ କରୁଥିବା ଦେଖିବାକୁ ମିଳିଥିଲା । ଅତି ପାଖରୁ ଏହି ପକ୍ଷୀମାନଙ୍କୁ ଦେଖି ହେଉଥିବାରୁ ପର୍ଯ୍ୟଟକମାନଙ୍କର ମନରେ ଉତ୍ସାହ ଆନନ୍ଦ ଦୁଇ ଗୁଣିତ ହୋଇଯାଇଛି । ୧୯୯୯ ମସିହା ମହାବାତ୍ୟା ପୂର୍ବରୁ ଶୀତ ଋତୁରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାକୃତିକ କାଞ୍ଜିଆ ହ୍ରଦକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସୁଥିଲେ । କିନ୍ତୁ ମହାବାତ୍ୟା ପରେ ବିଦେଶାଗତ ପକ୍ଷୀଙ୍କ ଆସିବା କମିଗଲା । କିନ୍ତୁ ଗତ ଦୁଇ ବର୍ଷ ହେବ ଚିତ୍ରା ଗେଣ୍ଡାଳିଆ ଆସୁଛନ୍ତି । ଏବେ ଏହି ବଙ୍କା ଥଣ୍ଟିଆ ବଗଙ୍କ ଆଗମନ ଏକ ପ୍ରକାର ଶୁଭ ସଙ୍କେତ ଦେଉଛି । ଏହି ପ୍ରଜାତିର ବଗ ସାଧାରଣତଃ ଆଫ୍ରିକା ମହାଦେଶରେ ଦେଖାଯାଆନ୍ତି । ସେହିଭଳି ଇରାନ ,ଇରାକ ଭଳି ଦେଶରେ ମଧ୍ୟ ଏହି ପ୍ରକାର ବଗ ଦେଖିବାକୁ ମିଳେ। ଇଜିପ୍ଟିବାସୀଙ୍କ ଧର୍ମୀୟ ଭାବନା ସହ ଏହି ବଗର ସମ୍ପର୍କ ରହିଛି । ସେହିଭଳି ଏହି ବଗ ବେକଠାରୁ ଅଣ୍ଟା ପର୍ଯ୍ୟନ୍ତ ଗାଢ଼ କଳା ।
ଗୋଡ଼ ଦୁଇଟି ଭାରତୀୟ ବଗଙ୍କ ଗୋଡ଼ ଅପେକ୍ଷା ବହୁ ଅଧିକ ଲମ୍ବା ଅଟେ । ଏମାନେ ଜଳାଶୟ କୂଳରେ ବିଚରଣ କରି ମାଛ, ଗେଣ୍ଡା ପ୍ରଭୃତି ଖାଆନ୍ତି । ଏମାନେ ଅନୁକୂଳ ପରିବେଶ ପାଇଲେ, ବସା ବାନ୍ଧନ୍ତି ଓ ଅଣ୍ଡା ଦେଇଥାଆନ୍ତି । ଅଣ୍ଡା ଫୁଟିବା ପରେ ଓ ଛୁଆମାନେ ଉଡ଼ିବାକୁ ସକ୍ଷମ ହେବା ପରେ ଏମାନେ ବସା ଛାଡ଼ି ଅନ୍ୟତ୍ର ଉଡ଼ିଯାଆନ୍ତି ।
ଆଗକୁ ପଢନ୍ତୁ :- ପୋଖରୀରେ ବୁଲୁଛି ଅଜଣା ଜନ୍ତୁ