ଭୁବନେଶ୍ୱର, ଜୁନ୍ ୨୨ (ଖବର ଓଡ଼ିଶା): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ସକାଳୁ ଶ୍ରୀଜଗନ୍ନାଥ ଦର୍ଶନ କରିଛନ୍ତି । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମୟୂରଭଂଜ ଜିଲ୍ଲା ରାଇରଂଗପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ମୁର୍ମୁଙ୍କ ସହିତ ନିଜ ପରିବାରର ସଦସ୍ୟ ଓ ସମର୍ଥକମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ମୁର୍ମୁଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଅବସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିସର ଓ ବାହାରେ ପୋଲିସ ମୁତୟନ କରାଯାଇଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ଯଶୱନ୍ତ ସିହ୍ନାଙ୍କ ବିରୋଧରେ ଅବତୀର୍ଣ୍ଣ କରାଇଛି ।
ସୂଚନାଯୋଗ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର ରାତିରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଥିଲେ । ଏହି ଅବସରରେ ଜେପି ନଡ୍ଡା କହିଥିଲେ ଯେ, ଏଥର ଏନଡିଏ ତରଫରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଫୋକସ କରାଯାଇଥିଲା । ଏଥି ସହିତ ଆଦିବାସୀ ସଂପ୍ରଦାୟର କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ସହମତି ଥିଲା । ଏଥର ପୂର୍ବଭାରତରୁ କୌଣସି ବ୍ୟକ୍ତିଙ୍କ ଉପରେ ସମସ୍ତଙ୍କର ସହମତି ହୋଇଥିଲା । ଆମେ ଏହାରି ଉପରେ ବିଚାର କରିଥିଲୁ ଯେ, ଏପର୍ଯ୍ୟନ୍ତ ଦେଶକୁ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳି ନାହିଁ । ଫଳରେ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ଲଗାଯାଇଥିଲା ।