ସୁବର୍ଣ୍ଣପୁର: ଗାଡ଼ି ଭିତରୁ ବାହରିଲା ପୁଳା ପୁଳା ଟଙ୍କା । ଟଙ୍କା ଜବତ କରି ଚାରି ଜଣଙ୍କୁ ଗିରଫ କଲା ପୋଲିସ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରୁଣ୍ଡିମହୁଲ ଗ୍ରାମର ଭବାନୀ ଶଙ୍କର ବାରିକ, ସଚିନ ଖଟୁଆ, ଧୀରେନ୍ଦ୍ର ମାଝୀ ଏବଂ ସର୍ଗିପାଲି ଗାଁ ର ବୃନ୍ଦାବନ କୁନାର ।
ମିଳିଥିବା ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ରାମପୁର ଥାନା ପୋଲିସ ରାମପୁର ଜଗନ୍ନାଥ ରୋଡରେ ଚେକିଂ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ି କୁ ଅଟକାଇ ଯାଞ୍ଚ କରିଥିଲା । ଗାଡ଼ି ଭିତରେ ଥିବା ଏକ ବ୍ୟାଗରେ ବିଡାବିଡା ଟଙ୍କା ଥିବା ଦେଖିବାକୁ ମିଳିଥିଲା । ଟଙ୍କା ଗଣତି କରିବାରୁ ବ୍ୟାଗ ରେ ୧୨ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା । ଗାଡ଼ିରେ ଥିବା ଚାରିଜଣ ବ୍ୟକ୍ତି ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ସେମାନଙ୍କୁ ଧରି ଥାନାକୁ ଆଣିଥିଲା ଏବଂ ପଚରାଉଚରା କରିଥିଲା । ତେବେ ସେମାନଙ୍କୁ ଗତକାଲି ଗିରଫ୍ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଏଥିରେ ଥିବା ୧୨ ଲକ୍ଷ ଟଙ୍କା କୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟଙ୍କା ଗଣି ଜମା ରଖାଯାଇଥିବା ବେଳେ ଚାରି ଜଣ କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।