କଟକ: OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ନୂଆ ପରୀକ୍ଷା ତାରିଖ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) । ଅଗଷ୍ଟ ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (SOTET) । ୨ ସିଟିଂରେ କରାଯିବ ପରୀକ୍ଷା । ପୂର୍ବରୁ ୨୦ ଜୁଲାଇରେ ପରୀକ୍ଷା ହେବାର ଥିଲା । ମାତ୍ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୁଲାଇ ୧୯ ତାରିଖ ରାତିରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ସ୍ବତନ୍ତ୍ର OTET ପରୀକ୍ଷା:
- ଅଗଷ୍ଟ ୩୧ ତାରିଖ (ରବିବାର) ସ୍ୱତନ୍ତ୍ର OTET ପରୀକ୍ଷା
- ପ୍ରଥମ ସିଟିଂ - ପେପର-I (ସକାଳ ୦୯.୦୦ ରୁ ୧୧.୩୦ ପର୍ଯ୍ୟନ୍ତ )
- ଦ୍ବିତୀୟ ସିଟିଂ -ପେପର -II (ଅପରାହ୍ନ ୨.୦୦ରୁ ୪.୩୦ ପର୍ଯ୍ୟନ୍ତ)
- ପରୀକ୍ଷା ଦେବା ୭୫ ହଜାର ୪୦୩ ଜଣ
- ପରୀକ୍ଷା ପାଇଁ ୨୨ ଅଗଷ୍ଟ ୨୦୨୫ରେ ଅଫିସିଆଲ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ
- ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟ www.bseodisha.ac.inରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ
ପ୍ରାର୍ଥୀମାନେ ଅନଲାଇନରେ ଦାଖଲ କରିଥିବା ସୂଚନା ଆଧାରରେ ଆଡମିଟ କାର୍ଡ ପ୍ରସ୍ତୁତ କରାଯିବ । ଯଦି କୌଣସି ସୂଚନା ମିଥ୍ୟା ବା ନକଲି ବୋଲି ପ୍ରମାଣିତ ହୁଏ, ତେବେ ପରୀକ୍ଷାର୍ଥୀଙ୍କ ଫଳାଫଳ ବାତିଲ କରାଯିବ ଏବଂ ସେ ନିୟମ ଅନୁଯାୟୀ ମାମଲା ପାଇଁ ଦାୟୀ ରହିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । SSEPD ବିଭାଗର ନିଷ୍ପତ୍ତି ଅନୁଯାୟୀ, ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁମତିପ୍ରାପ୍ତ ସୁବିଧା ପାଇବା ପାଇଁ PH ପ୍ରାର୍ଥୀମାନେ ପରୀକ୍ଷା ଆରମ୍ଭ ହେବାର ଚାରି ଦିନ ପୂର୍ବରୁ ସମସ୍ତ ଓଲଜିନାଲ ଡକ୍ୟୁମେଣ୍ଟ ସହିତ ସମ୍ପୃକ୍ତ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ରିପୋର୍ଟ କରିବା ଉଚିତ ।
ପ୍ରାଥମିକ ଶିକ୍ଷାରେ ନିୟୋଜିତ ଇନ୍ ସର୍ଭିସ୍ ଶିକ୍ଷକମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ପାଇଁ ୭୫ ହଜାର ୪୦୩ ଜଣ ଇନ୍ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା । ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, OTET ପ୍ରଶ୍ନପତ୍ର ଲିକ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଛି । ତଦନ୍ତରେ ପ୍ରଶ୍ନପତ୍ର ପ୍ରଘଟରେ ଜଡିତ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି । ଯିଏ ଏପରି କରିଛନ୍ତି ବା ଯିଏ ବି ସାମିଲ ଅଛନ୍ତି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।