ନୂଆଦିଲ୍ଲୀ: ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ରାୟ ପ୍ରକାଶ ହୋଇଯାଇଛି । ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ୭ ଜଣଙ୍କୁ ନିମ୍ନ ଅଦାଲତ ଦୋଷ ମୁକ୍ତ କରିଛନ୍ତି । ଏଥିରେ କେବଳ ପ୍ରଜ୍ଞା ଠାକୁରଙ୍କ ନାମକୁ ସାମିଲ କରାଯାଇନଥିଲା ବରଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୱନାଥଙ୍କୁ ମଧ୍ୟ ଫସାଇବାକୁ ପ୍ରତିପକ୍ଷ ଷଡ଼ଯନ୍ତ୍ର ରଚିଥିଲେ । ଏହା ଆମେ କହୁନୁ ବରଂ କୋର୍ଟରେ ଯିଏ ସାକ୍ଷୀ ଦେଇଛନ୍ତି ସେ ହିଁ କହିଛନ୍ତି ।
ଏହି ମାମଲାରେ ମୋଟ ୩୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଦୀର୍ଘ ୧୭ ବର୍ଷ ଧରି କୋର୍ଟରେ ମାମଲାର ଶୁଣାଣୀ ଚାଲିଥିଲା । ଜଣେ ସାକ୍ଷୀ ଏ ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି । ସରକାରୀ ସାକ୍ଷୀ ମିଲିନ୍ଦ ଯୋଶୀ କହିଛନ୍ତି, ତାଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ଦକ୍ଷିଣପନ୍ଥୀ ସଂଗଠନର ଅନ୍ୟ ବ୍ୟକ୍ତି ବିଶେଷମାନଙ୍କୁ ଫସାଇବାକୁ ଚାପ ପ୍ରୟୋଗ କରାଯାଉଥିଲା । ବିଶେଷ କରି ଯୋଗୀ ଆଦିତ୍ୟନାଥ, ମୋହନ ଭଗବତ ଏବଂ ଅସୀମାନନ୍ଦଙ୍କ ବିରୁଦ୍ଧରେ ସାକ୍ଷୀ ଦେବାକୁ କୁହାଯାଉଥିଲା । ସେଥିପାଇଁ ତାଙ୍କୁ ବୁହତ ଦିନ ପାଇଁ ହେପାଜତରେ ରଖାଯାଇଥିଲା ଏବଂ ନିର୍ଯ୍ୟାତନା ମଧ୍ୟ ଦିଆଯାଉଥିଲା । ଏହାର ପ୍ରମୁଖ କାରଣ ଥିଲା, ସେହି ସମୟରେ ଯୋଗୀ ହିନ୍ଦୁ ସଂଗଠନର ଜଣେ ଜଣାଶୁଣା ଚେହେରା ଥିଲେ । ଅନ୍ୟପକ୍ଷରେ ମୋହନ ଭଗବତ ମଧ୍ୟ ଆରଏସଏସର ଶୀର୍ଷ ନେତୃତ୍ୱଙ୍କ ତାଲିକାରେ ଆସୁଥିଲେ । ଏମିତିକି ସଂଗଠନର ସଭାପତି ଦାୟିତ୍ୱ ମିଳିଥିବା ସମ୍ଭାବନା ଥିଲା ।
ଖାଲି ସେତିକି ନୁହେଁ ମାମଲାର ତଦନ୍ତର ସାମିଲ ଥିବା ମହବୁବୁ ମୁଜାବର୍ ମଧ୍ୟ କହିଛନ୍ତି ଯେ ଲୋକଙ୍କ ମନରେ ‘ଗେରୁଆ ଆତଙ୍କବାଦ’ର ଛାପ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା । ତତ୍କାଳୀନ ସରକାର ହିନ୍ଦୁତ୍ୱ ରାଜନୀତିକୁ ମୂଳପୋଛ କରିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି ।
‘ମାଲେଗାଓଁ ବିସ୍ଫୋରଣ’
୨୦୦୮ ସେପ୍ଟେମ୍ବର ୨୯, ରାତି ପ୍ରାୟ ୯:୩୫, ମହାରାଷ୍ଟ୍ରର ନାସିକ ଜିଲ୍ଲାର ମାଲେଗାଓଁ ମୁସଲିମ ବହୁଳ ଅଞ୍ଚଳରେ ରମଜାନ ମାସରେ ଏବଂ ନବରାତ୍ରି ପର୍ବ ଅବସରରେ ଭିଖୁ ଛକରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୧୭ ବର୍ଷ ଧରି ବିଚାର ପରେ ୧୯ ଏପ୍ରିଲରେ ସମସ୍ତ ସାତ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୮ ମେ ରାୟ ପାଇଁ ତାରିଖ ସଂରକ୍ଷିତ ରଖାଯାଇଥିଲା। କିନ୍ତୁ ତା’ପରେ ୩୧ ଜୁଲାଇକୁ ରାୟ ପାଇଁ ତାରିଖ ସ୍ଥିର ହୋଇଥିଲା । ଏହି ମାମଲାର ତଦନ୍ତ ତତ୍କାଳୀନ ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ ଏବଂ ସହିଦ ଆଇପିଏସ୍ ଅଧିକାରୀ ହେମନ୍ତ କରକରେଙ୍କୁ ଦିଆଯାଇଥିଲା । ସେ ମୋଟ ୧୨ ଅଭିଯୁକ୍ତଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲେ, ଯେଉଁଥିରେ କୋର୍ଟ ପାଞ୍ଚ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଗତ ଗୁରୁବାର ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତ (ଅବସରପ୍ରାପ୍ତ), ମେଜର ରମେଶ ଉପାଧ୍ୟାୟ (ଅବସରପ୍ରାପ୍ତ), ସମୀର କୁଲକର୍ଣ୍ଣି, ଅଜୟ ରାହିରକର, ସୁଧାକର ଧର ଦ୍ୱିବେଦୀ ଓରଫ ଦୟାନନ୍ଦ ପାଣ୍ଡେ ଏବଂ ସୁଧାକର ଚତୁର୍ବେଦୀଙ୍କୁ ଅଦାଲତ ନିର୍ଦ୍ଦୋଷ ଘୋଷଣା କରିଥିଲେ ।