ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଜବାବ ଦେଇଛନ୍ତି । ପିଏମ ମୋଦୀ କହିଛନ୍ତି, ଭାରତ ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ଏହା ପୂର୍ବରୁ ଟ୍ରମ୍ପ ଭାରତର ଅର୍ଥବ୍ୟବସ୍ଥାକୁ ଡେଡ ଇକୋନୋମି ବୋଲି କହିଥିଲେ ।
ପିଏମ ମୋଦୀ କହିଛନ୍ତି, ଆଜି ଦୁନିଆର ଅର୍ଥବ୍ୟବସ୍ଥା ଅନେକ ଆଶଙ୍କା ଦେଇ ଗତି କରୁଛି । ଚାରିଆଡେ ଅସ୍ଥିରତାର ମାହୋଲ ରହିଛି । ଏମିତିରେ ଦୁନିଆର ସବୁ ଦେଶ ନିଜ ହିତ ଉପରେ ଧ୍ୟାନ ଦେଉଛନ୍ତି । ଭାରତକୁ ମଧ୍ୟ ନିଜର ଆର୍ଥିକ ହିତକୁ ନେଇ ସଜାଗ ରହିବାର ଅଛି । ଆମର କୃଷକ, ଆମର ଲଘୁ ଉଦ୍ୟୋଗ, ଆମର ଯୁବ ପିଢିଙ୍କୁ ରୋଜଗାର ଏସବୁ ଆମ ପାଇଁ ସର୍ବୋପରି । ସରକାର ଏହି ଦିଗରେ ପ୍ରୟାସରତ ଅଛନ୍ତି ।
ସେ କହିଛନ୍ତି, ଆମର ସରକାର ଦେଶର ସର୍ବୋତ୍ତମ ହିତ ପାଇଁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି । ଯେଉଁ ଲୋକେ ଦେଶର ଉନ୍ନତି ଚାହାନ୍ତି ଏବଂ ଭାରତକୁ ଦୁନିଆର ତୃତୀୟ ବଡ ଆର୍ଥିକ ଅର୍ଥବ୍ୟବସ୍ଥା ଭାବେ ଦେଖିବାକୁ ଚାହାନ୍ତି, ସେ ଯେ କୌଣସି ଦଳର ହୁଅନ୍ତୁ ନା କାହିଁକି, ସବୁ ଭୁଲି ସ୍ୱଦେଶୀ ଉତ୍ପାଦ ପାଇଁ ସଂକଳ୍ପ ନେବା ଉଚିତ୍ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯେବେ ଦୁନିଆର ଅସ୍ଥିରତାର ମାହୋଲ ଦେଇ ଗତି କରୁଛି, ସେହି ସମୟରେ ଆମେ ବି କେବଳ ସ୍ୱଦେଶୀ ସାମଗ୍ରୀ ବିକ୍ରି କରିବୁ । ଏହି ସଂକଳ୍ପ ହିଁ ଦେଶ ପାଇଁ ପ୍ରକୃତ ସେବା । ଏବେ ପ୍ରତି ମୁହୂର୍ତ୍ତ ସ୍ୱଦେଶୀ ସାମଗ୍ରୀ କିଣନ୍ତୁ । ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ବଡ ଶ୍ରଦ୍ଧାଞ୍ଜଳି ହେବ ।
ଜୁଲାଇ ୩୧ ତାରିଖରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ସମସ୍ତ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଏବଂ ଅତିରିକ୍ତ ଜରିମାନା ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ସେ ଭାରତ-ରୁଷ ସମ୍ପର୍କ ଉପରେ କଡା ଟିପ୍ପଣୀ କରିଥିଲେ। ଉଭୟ ଦେଶକୁ 'ମୃତ ଅର୍ଥନୀତି' ବୋଲି ଦର୍ଶାଇ ଟ୍ରମ୍ପ କହିଥିଲେ ଯେ ଭାରତ ରୁଷ ସହିତ କ'ଣ କରେ ତାହା ତାଙ୍କର ଚିନ୍ତା ନୁହେଁ।