ନୂଆଦିଲ୍ଲୀ: ମହାକୁମ୍ଭ ସମୟରେ ଦିଲ୍ଲୀ ରେଳଷ୍ଟେସନରେ ହୋଇଥିବା ଦଳାଚକଟାର କାରଣ ଶୁକ୍ରବାର ରେଳମନ୍ତ୍ରୀ ସଂସଦରେ କହିଛନ୍ତି। ଚଳିତବର୍ଷ ଫେବୃୟାରୀ ୧୫ ତାରିଖରେ ଘଟିଥିବା ଏହି ଘଟଣାରେ ୧୮ ଜଣ ନୀରିହ ଲୋକଙ୍କ ଜୀବନ ଯାଇଥିଲା। ଏହାର ତଦନ୍ତ ରିପୋର୍ଟ ଏବେ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଉପସ୍ଥାପିତ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି । ଏହି ରିପୋର୍ଟକୁ ଉଦ୍ଧୃତ କରି ସେ ଦୁର୍ଘଟଣାର କାରଣ ମଧ୍ୟ କହିଛନ୍ତି ମନ୍ତ୍ରୀ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଫେବୃଆରୀ ୧୫ ତାରିଖରେ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ଏକ ବହୁତ ଭାରୀ ଲଗେଜ୍ ପଡ଼ିବା ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। କିଛି ସମୟ ମଧ୍ୟରେ ଏହି ବିଶୃଙ୍ଖଳା ଏକ ଦଳାଚକଟାର ରୂପ ନେଇଥିଲା। ଏହି କାରଣରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ରେଳମନ୍ତ୍ରୀ ସଂସଦରେ କହିଥିଲେ ଯେ ଏହି ଦୁର୍ଘଟଣାର ତଦନ୍ତ ପାଇଁ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ତାଙ୍କର ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣା ରାତି ପ୍ରାୟ ୮.୪୮ରେ ଫୁଟ୍ ଓଭର ବ୍ରିଜ୍-୩ ସଂଯୋଗକାରୀ ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ର ସିଡ଼ିରେ ଘଟିଥିଲା।
ବିହାର ଯାଉଥିବା ଟ୍ରେନ୍ ପାଇଁ ଯାତ୍ରୀମାନେ ଏକାଠି ହୋଇଥିଲେ
ରେଳମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି କହିଛନ୍ତି ଯେ ୧୪ ଏବଂ ୧୫ ନମ୍ବର ପ୍ଲାଟଫର୍ମକୁ ସଂଯୋଗ କରୁଥିବା ସିଡ଼ିରେ ରାତି ପ୍ରାୟ ୯:୧୫-୯:୩୦ ସମୟରେ ଦଳାଚକଟା ହୋଇଥିଲା। ସେହି ସମୟରେ ପ୍ରୟାଗରାଜରେ ମହାକୁମ୍ଭ ମହୋତ୍ସବ ସମୟରେ ବିହାର ଯାଉଥିବା ଟ୍ରେନ୍ ପାଇଁ ହଜାର ହଜାର ଲୋକ ଷ୍ଟେସନରେ ଏକାଠି ହୋଇଥିଲେ।
ତଦନ୍ତ ରିପୋର୍ଟରୁ ଜଣାପଡିଛି ଯେ ପର୍ଯ୍ୟାପ୍ତ ଭିଡ଼ ପରିଚାଳନା ପ୍ରୋଟୋକଲ ସତ୍ତ୍ୱେ, ରାତି ୮.୧୫ ପରେ ଫୁଟ-ଓଭର ବ୍ରିଜରେ ଯାତ୍ରୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଥିଲା। କମିଟି ଜାଣିପାରିଛି ଯେ ଦୁର୍ଘଟଣା ପୂର୍ବରୁ ଅନେକ ଯାତ୍ରୀ ନିଜ ମୁଣ୍ଡରେ ଭାରୀ ସାମଗ୍ରୀ ବୋହି ନେଉଥିଲେ, ଯାହା ଫଳରେ ଲୋକମାନେ ୨୫ ଫୁଟ ଚଉଡା ସଂକୀର୍ଣ୍ଣ ଫୁଟ ବ୍ରିଜରେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେବା ଆରମ୍ଭ ହୋଇଥିଲା।
ସମାଜବାଦୀ ପାର୍ଟି ସାଂସଦ ରାମଜୀ ଲାଲ ସୁମନ ଏ ସମ୍ପର୍କରେ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତରରେ ରେଳମନ୍ତ୍ରୀ କହିଥିଲେ ଯେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଫେବୃଆରୀ ୧୫ ତାରିଖରେ ଘଟିଥିବା ଦୁର୍ଘଟଣାର ପ୍ରାଥମିକ କାରଣ ଚିହ୍ନଟ କରିଛି। ହେଡଲୋଡ୍ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଇଛି।