ନୂଆଦିଲ୍ଲୀ: ଗତକାଲି ନିର୍ବାଚନ ଆୟୋଗ ବିରୋଧରେ ବଡ ପ୍ରମାଣ ପାଇଥିବାର ବଡ ଦାବି କରିଥିବା ରାହୁଲ ଗାନ୍ଧୀ ଶନିବାର ପୁଣି ଥରେ ଆୟୋଗ ଉପରେ ବଡ ଅଭିଯୋଗ ଲଗାଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ବଡ ଧରଣର ହେରଫେର ହୋଇଥିବା କହିଛନ୍ତି ରାହୁଲ ଗାନ୍ଧୀ । ତାଙ୍କ ପାଖରେ ଏସବୁର ଡକ୍ୟୁମେଣ୍ଟ ଓ ଡାଟା ରହିଛି, ଯାହା ପ୍ରମାଣିତ କରୁଛି ଯେ, ନିର୍ବାଚନରେ ବଡ ଗଡବଡ ହୋଇଛି ।
ଋାହୁଲ ଗାନ୍ଧୀ ଗୋଟିଏ ଲୋକସଭା ଆସନର ଉଦାହରଣ ଦେଇ କହିଛନ୍ତି, ଆମେ ଗୋଟିଏ ଆସନର ଭୋଟର ତାଲିକା ଯାଞ୍ଚ କଲୁ । ଏଥିରେ ୬.୫ ଲକ୍ଷ ଭୋଟର ଥିଲେ, ଯେଉଁଥିରେ ୧.୫ ଲକ୍ଷ ନକଲି ଭୋଟର ବାହାରିଲେ । ଏହା କୌଣସି ଅପବାଦ ନୁହେଁ, ବରଂ ସୁନିୟୋଜିତ ଯୋଜନା ଭାବେ ଭୋଟ୍ ଚୋରି କରାଯାଇଛି । କଂଗ୍ରେସ ନେତା ପାର୍ଟିର ବିଧି ବିଭାଗ ଦ୍ୱାରା ବିଜ୍ଞାନ ଭବନରେ ଆୟୋଜିତ ରାଷ୍ଟ୍ରୀୟ ସମ୍ମିଳନୀ ସମୟରେ ଏହି ଟିପ୍ପଣୀ କରିଛନ୍ତି ।
ଋାହୁଲ ଏହା ମଧ୍ୟ କହିଛନ୍ତି, ବିଜେପିର ବହୁମତ ସରକାର ଏହି ଗଡବଡ କାରଣରୁ ଗଠନ ହୋଇଛି । ଯଦି ବିଜେପିକୁ ୧୫-୨୦ ସିଟ୍ କମ ମିଳିଥାନ୍ତା ତେବେ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ପଦରେ ନ ଥାଆନ୍ତେ । ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ରାହୁଲ ପ୍ରଶ୍ନ ଉଠାଇ କହିଛନ୍ତି, ଭାରତର ନିର୍ବାଚନ ଆୟୋଗ ମରି ସାରିଛି । ଏହି ସଂସ୍ଥା ଏବେ ସ୍ୱାଧୀନତା ଏବଂ ନିରପେକ୍ଷ ଭାବେ କାମ କରି ପାରୁନି ।
ଋାହୁଲ କହିଛନ୍ତି, ତାଙ୍କୁ ୨୦୧୪ରୁ ନିର୍ବାଚନ ପ୍ରଣାଳୀ ଉପରେ ସନ୍ଦେହ ଥିଲା ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟ ପରି ରାଜ୍ୟରେ କଂଗ୍ରେସକୁ ଗୋଟିଏ ବି ସିଟ୍ ନ ମିଳିବା ଆଶ୍ଚର୍ଯ୍ୟକର ଥିଲା । ଯେବେ ଆମେ ମୁହଁ ଖୋଲିଲୁ, ଲୋକେ କହୁଥିଲେ ପ୍ରମାଣ କାହିଁ ?