ନୂଆଦିଲ୍ଲୀ: ଭାରତ ଆମେରିକାର ଟାରିଫକୁ ଅଣଦେଖା କରି ନିଜର ପୁରୁଣା ଏବଂ ଭରସାଯୋଗ୍ୟ ବନ୍ଧୁ ରୁଷଠୁ ତେଲ କିଣିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ଏଏନଆଇ ଅନୁଯାୟୀ, ଭାରତର ତେଲ ରିଫାଇନାରୀ ରୁଷ କମ୍ପାନିଠୁ ତେଲ କିଣିବା ଜାରି ରଖିବ । ଏହି ପଦକ୍ଷେପ ନେଇ ଭାରତ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡା ଜବାବ ଦେଇଛନ୍ତି ।
ସୂତ୍ର ଅନୁଯାୟୀ, ରୁଷ ତେଲ ଉପରେ କୌଣସି ପ୍ରକାରର ଅନ୍ତର୍ଜାତୀୟ କଟକଣା ଲଗାଯାଇ ନାହିଁ । ଏହା ପରିବର୍ତ୍ତେ ଜି୭ ଏବଂ ୟୁରୋପୀୟ ସଂଘ ଦ୍ୱାରା ଏକ ମୂଲ୍ୟ ସୀମାର ବ୍ୟବସ୍ଥା ଲାଗୁ କରାଯାଇଥିଲା, ଯଦ୍ୱାରା ରୁଷର ଆୟକୁ ସୀମିତ କରାଯାଇ ବୈଶ୍ୱିକ ତୈଳ ଯୋଗାଣ ଜାରି ରଖାଯାଇ ପାରିବ । ଭାରତୀୟ ସାର୍ବଜନୀନ ତୈଳ ବିପଣନକାରୀ କମ୍ପାନିଗୁଡିକ ଏହି ନିୟମ ଆଧାରରେ ବ୍ୟାରେଲ୍ ପିଛା ୬୦ ଡଲାରର ସୀମାକୁ ପାଳନ କରୁଛନ୍ତି । ଏବେ ୟୁରୋପୀୟ ୟୁନିୟନ ଏହି ସୀମାକୁ ହ୍ରାସ କରି ବ୍ୟାରେଲ୍ ପିଛା ୪୭.୬ ଡଲାର କରିବାକୁ ସୁପାରିଶ କରିଛନ୍ତି । ଏହା ସେପ୍ଟେମ୍ବର ୧ରୁ ଲାଗୁ ହେବ ।
୨୦୨୨ ମାର୍ଚ୍ଚରେ ଯେବେ ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଅନ୍ତର୍ଜାତୀୟ ବଜାରରେ ହାହାକାର ସୃଷ୍ଟି ହୋଇଥିଲା, ସେହି ସମୟରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୭ ଡଲାର ଥିଲା । ଏହି ସମୟରେ ଭାରତ ରଣନୈତିକ ନିର୍ଣ୍ଣୟ ନେଇ ରୁଷଠୁ ଅଶୋଧିତ ତୈଳ କିଣିବା ଆରମ୍ଭ କରିଥିଲା । ଯାହା ଫଳରେ ଅନ୍ତର୍ଜାତୀୟ ବଜାରରେ ସନ୍ତୁଳନ ବଜାୟ ରହିବା ସହ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ରଖାଯାଇ ପାରିଛି । ଯଦି ଭାରତ ରୁଷଠୁ ତେଲ କିଣି ନ ଥାନ୍ତା ତେବେ ଆଜି ଅନ୍ତର୍ଜାତୀୟ ତୈଳ ବଜାରରେ ବ୍ୟାରେଲ ପିଛା ୧୩୭ ଡଲାର ଥାଆନ୍ତା ।