ନୂଆଦିଲ୍ଲୀ: ନୂଆ ବିଜେପି ଅଧ୍ୟକ୍ଷ ନିର୍ବାଚନ ନେଇ ବିଳମ୍ବ ଘଟି ଚାଲିଛି । ପାର୍ଟିର ସମ୍ବିଧାନ ମୁତାବକ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ତେବେ ସମ୍ଭବ ଯେବେ ଅତି କମରେ ୫୦ ପ୍ରତିଶତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସାଂଗଠନିକ ନିର୍ବାଚନ ସରିଥିବ । ଏହା ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ପାର୍ଟିର ପୂରା ଧ୍ୟାନ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି । ତେଣୁ ଉପରାଷ୍ଟ୍ରପତି ନିର୍ବାଚନ ପରେ ବିଜେପି ନୂଆ ରଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କରାଇବ ବୋଲି କୁହାଯାଉଛି ।
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମୌସୁମି ଅଧିବେଶନର ପ୍ରଥମ ଦିନରେ ହିଁ ଅପ୍ରତ୍ୟାଶିତ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ତତ୍କାଳ ପ୍ରଭାବରୁ ପଦ ଛାଡିଥିଲେ । ନିର୍ବାଚନ ଆୟୋଗ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରି ସାରିଛନ୍ତି । ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ଏବଂ ସେହି ଦିନ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ । ଆୟୋଗଙ୍କ ତାରିଖ ଘୋଷଣା ସହ ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ଇଣ୍ଡିଆ ମେଣ୍ଟ କୌଣସି ଏକ ପ୍ରାର୍ଥୀ ଦେଇପାରେ ।
ନିର୍ବାଚନ ଆୟୋଗ ପକ୍ଷରୁ ପୂରା ସିଡ୍ୟୁଲ ଜାରି କରାଯାଇଛି । ଏହାରି ଆଧାରରେ ଅଗଷ୍ଟ ୭ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଧିସୂଚନା ଜାରି କରାଯିବ । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ । ଅଗଷ୍ଟ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୫ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ତାରିଖ ରହିଛି ।
ଲୋକସଭା ଓ ରାଜ୍ୟସଭାରେ ବର୍ତ୍ତମାନ ମୋଟ୍ ୭୮୨ ସାଂସଦ ରହିଛନ୍ତି । ଏନଡିଏ ପାଖରେ ଲୋକସଭାରେ ୨୯୩ ସାଂସଦ ଥିବା ବେଳେ ଇଣ୍ଡିଆ ମେଣ୍ଟ ପାଖରେ ରହିଛି ୨୩୨ ସାଂସଦ । ରାଜ୍ୟସଭାରେ ଏନଡିଏ ପାଖରେ ୧୩୩ ତ ଇଣ୍ଡିଆ ମେଣ୍ଟ ପାଖରେ ରହିଛି ୧୦୭ ସାଂସଦ । ଏମିତିରେ ସଂସଦରେ ଏନଡିଏର ପଲ୍ଲା ଭାରି ରହିଛି ।
ତେଣୁ ବିଜେପିର ଫୋକସ ଏବେ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି । ବିଜେପି ଏନଡିଏର ସହଯୋଗୀ ଦଳର ସହମତରେ ନିଜ ତରଫରୁ କୌଣସି ପ୍ରାର୍ଥୀ ଦେବାକୁ ବିଚାର କରୁଛି । ବିଜେପିର ବରିଷ୍ଠ ନେତା ଏନଡିଏ ସହଯୋଗୀ ଦଳର ନେତାଙ୍କ ସହ ଆଲାଚନା ଚଳାଇଛି । ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଦୌଡରେ ରହିଛନ୍ତି । ତେଣୁ ସାଂପ୍ରତିକ ସ୍ଥିତିକୁ ଦେଖି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ବିଳମ୍ବ ଘଟିଛି ।