ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ ପଡ଼ିଛନ୍ତି। ଯାଜପୁର ଜିଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ କିରାଣି ହେମନ୍ତ କୁମାର ପେରେଇ ଜଣେ ବ୍ୟକ୍ତିଙ୍କ ଠାରୁ ୪୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଛି ଭିଜିଲାନ୍ସ ଟିମ୍।
ସୂଚନା ମୁତାବକ, ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ କିରାଣି ହେମନ୍ତ କୁମାର ପେରେଇ । କାର୍ଯ୍ୟ କରାଇ ଦେବାକୁ କହି ଲକ୍ଷ୍ମୀଧରଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିରାଣି ପେରେଇ । ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଯେତେ କାକୁତି ମିନତି କରିଥିଲେ ବି ସଂପୃକ୍ତ କିରାଣି କିଛି ଶୁଣି ନ ଥିଲେ। ଶେଷରେ ସବୁ ପ୍ରକାର ନିରାଶ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଲକ୍ଷ୍ମୀଧର। ପୂର୍ବ ଯୋଜନା ମୁତାବକ ଶୁକ୍ରବାର କାର୍ଯ୍ୟାଳୟରେ ସେ ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମାଡ଼ି ବସିଥିଲେ।