ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ରହିବେ 'ଶକ୍ତିଶ୍ରୀ' ସଂଯୋଜିକା । ଏନେଇ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖିଥିଲେ । ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଜଣେ ଅଧ୍ୟାପିକାଙ୍କୁ ଶକ୍ତିଶ୍ରୀ ସଂଯୋଜିକା ଭାବେ ମନୋନୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୪ ସୁଦ୍ଧା 'ଶକ୍ତିଶ୍ରୀ' ସଂଯୋଜିକା ମନୋନୀତ କରି ଦାୟିତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମାଧ୍ୟମରେ ଛାତ୍ରୀଙ୍କୁ ସଶକ୍ତୀକରଣ ଓ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ”କୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା, ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଏହା ବିଶେଷ ଗୁରୁତ୍ୱ ଦେବ । ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ "ଶକ୍ତିଶ୍ରୀ ସାଥୀ" ଓ ଜଣେ ଅଧ୍ୟାପିକା "ଶକ୍ତିଶ୍ରୀ ସଂଯୋଜିକା" ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଏକ "୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ"ର ଆୟୋଜନ କରାଯିବ ।