ଭୁବନେଶ୍ୱର: ରାଜ୍ୟର ୧୨ଟି ସ୍ଥାନରେ ଆସନ୍ତାକାଲିଠାରୁ ହେବ ମକ୍ଡ୍ରିଲ ହେବ । ଦେଶର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ବୁଧବାର ଠାରୁ ଏହି ଅଭ୍ୟାସ ଆରମ୍ଭ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ । ତେବେ ଏହି ନିର୍ଦ୍ଦେଶ ଆସିବା ପରେ ସମସ୍ତ ରାଜ୍ୟ ପ୍ରସ୍ତୁତ ହୋଇସାରିଥିବା ବେଳେ ଓଡିଶାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟର ୧୨ଟି ସ୍ଥାନରେ ମକ୍ଡ୍ରିଲ ହେବ ।
ସୂଚନା ଅନୁଯାୟୀ ରାଜ୍ୟର ଧାମରା,ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରାଦୀପରେ ମକ୍ଡ୍ରିଲ୍ ହେବ । ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍ଡ୍ରିଲ୍ । ମକ୍ଡ୍ରିଲ୍ ନେଇ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବେଶ ଗୁରୁତ୍ୱ ବହନ କରୁଛି। ବାଲେଶ୍ୱର ଚାନ୍ଦିପୁରରେ ରହିଛି ଆଇଟିଆର କ୍ଷେପଣାସ୍ତ୍ର ଘାଟି। ଧାମରାରେ ଅଛି ଅବଦୁଲ କାଲାମ ହ୍ବିଲର ଦ୍ବୀପ। ସୁନାବେଡ଼ାରେ ରହିଛି ମିଗ୍ ବିମାନ କାରଖାନା। ପାରାଦ୍ୱୀପରେ ବନ୍ଦର ତେଣୁ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବି ଗୁରୁତ୍ୱ ବହନ କରୁଛି । ଏସବୁ ସ୍ଥାନରେ ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବାର ସୂଚନା ରହିଛି। ଯୁଦ୍ଧ ବେଳେ ନାଗରିକମାନେ କିପରି ଆତ୍ମରକ୍ଷା କରିବେ ସେନେଇ ତାଲିମ ଦିଆଯିବ । ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍ । ଏହି ଅଭ୍ୟାସ କାଲିଠୁ ଆରମ୍ଭ ହେବ ସପ୍ତାହେ ପର୍ଯ୍ୟନ୍ତ ଚାଲିବ । ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍ । ଏହି ମକଡ୍ରିଲରେ ସମସ୍ତେ ଭାଗ ନେବାକୁ ଅଗ୍ନିଶମ ଡିଜି ଜନତାଙ୍କୁ ଅପିଲ୍ କରିଛନ୍ତି ।
ସୂଚନା ଯୋଗ୍ୟ ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ୨୨ ଏପ୍ରିଲରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜାରି ରହିଛି । ପାକିସ୍ତାନ ବାରମ୍ବାର ଦାବି କରୁଛି ଯେ ଭାରତ ଯେ କୌଣସି ସମୟରେ ତା ଉପରେ ସାମରିକ ଆକ୍ରମଣ କରିପାରେ। ଏହାକୁ ନେଇ ପାକିସ୍ତାନ ହାଇ ଆଲର୍ଟରେ ରହିଛି। ଅନ୍ୟପଟେ ଭାରତ ମଧ୍ୟ ଯୁଦ୍ଧଜନିତ ପରିସ୍ଥିତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି ।