ଭୁବନେଶ୍ୱର : ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ। ତେବେ ମାର୍ଚ୍ଚ ୬ ଯାଏ ପରୀକ୍ଷା ଚାଲିବ। ରାଜ୍ୟର ୩୧୩୩ ଟି ସେଣ୍ଟରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀ ପ୍ରଥମ ଭାଷା ପରୀକ୍ଷା ଦେବେ। ତେବେ ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସକାଳ ସାଢ଼େ ୭ ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରଵେଶ କରିବା ପାଇଁ ନିର୍ଦେଶ ଦିଆଯାଇଛି।
କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। ବୋର୍ଡ ପକ୍ଷରୁ ୪୨ ଟି ସ୍କ୍ୱାଡ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୯୦ ଟି ସ୍କ୍ୱାଡ ନିୟୋଜିତ ହୋଇଛନ୍ତି। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ୩୦ ଟି ଜିଲ୍ଲାରେ ୩୧୪ ଟି ନୋଡାଲ ସେଣ୍ଟର ରହିଛି। ଯେଉଁ ଦିନ ଯେଉଁ ବିଷୟ ପରୀକ୍ଷା ଥିବ ସେଦିନ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ସାଢ଼େ ୭ ରୁ ସାଢ଼େ ୮ ମଧ୍ୟରେ ପହଞ୍ଚିବ। ୩୧୪ ନୋଡାଲ ସେଣ୍ଟର ଓ ୩୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଦେଖିବା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ରୁମ କରାଯାଇଛି। ଏହାସହିତ ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।