ଭୁବନେଶ୍ୱର : ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ୧ କୋଟି ୬୦ ଲକ୍ଷ ଟଙ୍କା ନେଇଛନ୍ତି। ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଏନେଇ ଲିଖିତ ଉତ୍ତର ଦେଇଛନ୍ତି।
ଆଜି ଗୃହରେ ନୟାଗଡ଼ ଅରୁଣ କୁମାର ସାହୁ ପ୍ରଶ୍ନ କରିଥିଲେ ଯେ ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଅନୁଗ୍ରହ କରି କହିବେ କି-ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡ଼ର କିଏ, ଏଥିପାଇଁ ରାଜ୍ୟ ରାଜକୋଷରୁ କେତେ ଅର୍ଥ ଦିଆଯାଉଛି, ଏବଂ ତାଙ୍କୁ କଣ କଣ ସୁବିଧା ଦିଆଯାଏ ଜଣାଇବେ କି ?
ତେବେ ଏହାର ଉତ୍ତରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ତଥ୍ଯ ରଖି ଉତ୍ତର ଦେଇଛନ୍ତି ଯେ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ ଅଭିନେତ୍ରୀ ଶ ମାଧୁରୀ ଦିକ୍ଷୀତ ନେନେଙ୍କୁ ୨୦୨୫ ରେ ନିଯୁକ୍ତି କରାଯାଇଅଛି । ଏହି ନିଯୁକ୍ତି ପାଇଁ ଶ୍ରୀମତୀ ନେନେଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଅଛି । ତାଙ୍କ ପାଇଁ ଯିବା ଆସିବା ଫ୍ଲାଇଟ ଟିକେଟ, ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି । ଓଡିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ, ବିଶ୍ବ ସ୍ତରରେ ଖ୍ୟାତି ସମ୍ପର୍କ ବଲିଉଡ ଅଭିନେତ୍ରୀ ଶ୍ରୀମତୀ ମାଧୁରୀ ଦିକ୍ଷୀତ ନେନେଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଅଛି, ଯାହା ଦ୍ବାରା ଓଡିଶାର ପାରମ୍ପରିକ ହସ୍ତତନ୍ତ କଳା ଓ ସୁନାମ ବିଶ୍ବର କୋଣ ଅନୁକୋଣରେ ପହଞ୍ଚା ଯାଇପାରିବ ଏବଂ ଓଡିଶାର ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ।