ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା। ଲିଫ୍ଟ ଦେବା ବାହାନାରେ ଜଣେ ଯୁବତୀଙ୍କୁ ରିଜର୍ଭ ଜଙ୍ଗଲକୁ ନେଇ କୁକର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲାର ସୁନୀଲ ପାତ୍ର, ଯିଏ ପେସାରେ ଜଣେ ଗ୍ୟାରେଜ ମେକାନିକ୍ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଯୁବତୀ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରେ ଥିବାବେଳେ ଅଭିଯୁକ୍ତ ତାଙ୍କୁ "ଭଉଣୀ ଭାବି ଛାଡ଼ିଦେବି" ବୋଲି ବିଶ୍ୱାସ ଦେଇ ବାଇକ୍ରେ ଲିଫ୍ଟ ଦେଇଥିଲା। କିନ୍ତୁ ନିର୍ଦ୍ଧାରିତ ସ୍ଥାନରେ ଛାଡ଼ିବା ପରିବର୍ତ୍ତେ ସେ ଯୁବତୀଙ୍କୁ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ରତନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲା। ସେଠାରେ ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ତେବେ ସାହସ ଓ ଉପସ୍ଥିତ ବୁଦ୍ଧି ଦେଖାଇ ଯୁବତୀ ଅଭିଯୁକ୍ତଙ୍କୁ ପ୍ରତିରୋଧ କରି ତାଙ୍କ କବଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ ମଧ୍ୟ ରାସ୍ତା ନପାଇ ସେ ପୋଲିସ ସହାୟତା ନମ୍ବରକୁ ଫୋନ୍ କରିଥିଲେ। ସେତେବେଳେ ତାଙ୍କ ମୋବାଇଲରେ ମାତ୍ର ୧୦ ପ୍ରତିଶତ ବ୍ୟାଟେରୀ ଥିବା ସେ ପୋଲିସକୁ ଜଣାଇଥିଲେ।
ଖବର ପାଇ ଏସିପି ଜୋନ-୩ଙ୍କ ନେତୃତ୍ୱରେ ଇନଫୋଭ୍ୟାଲି, ଜଟଣୀ, ଖଣ୍ଡଗିରି ଓ ଭରତପୁର ଥାନା ପୋଲିସ ସହ ୫୦ରୁ ଅଧିକ ପୋଲିସ କର୍ମଚାରୀ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଡ୍ରୋନ୍, ଫ୍ଲେୟାର ଗନ୍ ଓ ଅନ୍ୟାନ୍ୟ ଆଧୁନିକ ଉପକରଣର ସହାୟତାରେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଖୋଜାଖୋଜି ପରେ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଯୁବତୀଙ୍କ ଅଭିଯୋଗ ଆଧାରରେ ଇନଫୋଭ୍ୟାଲି ଥାନାରେ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତ ସୁନୀଲ ପାତ୍ରଙ୍କୁ ଗିରଫ କରିବା ସହ ତାଙ୍କ ବାଇକ୍କୁ ମଧ୍ୟ ଜବତ କରିଛି। ଅଭିଯୁକ୍ତଙ୍କର ମେଡିକାଲ ପରୀକ୍ଷା କରାଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।