ନୂଆଦିଲ୍ଲୀ: ବିଚାରପତି ହରିଶ ଟଣ୍ଡନ୍ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍ ଟଣ୍ଡନ୍ ବର୍ତ୍ତମାନ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି ।
ଚଳିତ ମାସରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ନାମକୁ ସୁପାରିଶ କରିଥିଲେ । ୧୯ ଜାନୁଆରୀ ୨୦୨୫ରେ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ବିଚାରପତି ଅରିନ୍ଦମ ସିହ୍ନା ଜାନୁୟାରୀ ୨୦ରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଭାବେ ଦାୟିତ୍ୱ ତୁଲାଉଛନ୍ତି ।
ହରିଶ ଟଣ୍ଡନ୍ କୋଲକାତା ହାଇକୋର୍ଟର ସେ ହେଉଛନ୍ତି ସବୁଠାରୁ ବରିଷ୍ଠ ବିଚାରପତି । ସର୍ବଭାରତୀୟ ସ୍ତରରେ ସେ ସପ୍ତମ ବରିଷ୍ଠ ହାଇକୋର୍ଟ ବିଚାରପତି । ୨୦୧୦ରୁ ଏପ୍ରିଲ୍ ୧୩ରୁ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେ ଅରିନ୍ଦମ ସିହ୍ନାଙ୍କଠାରୁ ମୁଖ୍ୟ ବିଚାରପତି ଦାୟିତ୍ୱ ଗ୍ରହଣ କରିବେ ।