ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି । କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼େଇ ନେବା ସହ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସେବାୟତ। ଆକ୍ରମଣର ଶିକାର ହୋଇ ମହିଳା ସାମ୍ବାଦିକା ଜଣକ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜଣେ କ୍ୟାମେରା ମ୍ୟାନ ମଧ୍ୟ ଆହତ ହୋଇ ଚିକିତ୍ସା ହେଉଛନ୍ତି। ପ୍ରାୟ ୨୦ ରୁ ଉର୍ଦ୍ଧ ସେବାୟତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଛି।
ସୂଚନା ଥାଉକି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଟଙ୍କା ନେଇ ଭକ୍ତ ମାନଙ୍କୁ ଛାଡୁଥିବା ଅଭିଯୋଗ କରିଥିଲେ ଭକ୍ତ।ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହାକୁ ନେଇ ଆଜି ଗଣମାଧ୍ୟମକୁ ଆକ୍ରମଣ କରିଥିଲେ ସେବାୟତ। ଜଣେ ମହିଳା ସାମ୍ବାଦିକା ସହ କ୍ୟାମେରା ମ୍ୟାନ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ତେବେ ଏହି ଘଟଣାକୁ ନେଇ ସାମ୍ବାଦିକ ମାନଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯିବା ସହ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।
ଏତଲା ଆଧାରରେ ମାମଲା ରୁଜୁ କରିଛି ସିଂହଦ୍ଵାର ଥାନା ପୋଲିସ । ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି।