ଗଜପତି ଜିଲ୍ଲାର ଆଦିବାସୀ ବହୁଳ ରାୟଗଡ ବ୍ଲକର ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରିର ପାଦଦେଶରେ ଥିବା ଜିରାଙ୍ଗ ଗ୍ରାମ ସ୍ଥିତ ବଳଦେବ ଜୀଉଙ୍କ ମନ୍ଦିର ଠାରେ ନିଆରା ଢଙ୍ଗରେ ବିଶ୍ବାସ ଓ ପରମ୍ପରା ପ୍ରକାରେ ପାଳନ କରାଯାଉଛି ପବିତ୍ର ରଥଯାତ୍ରାର ହେରାପଞ୍ଚମୀ ।
ହେରାପଞ୍ଚମୀ ଦିନରେ ଏଠାରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଛୋଟ ପିଲା ଠାରୁ ବଡମାନେ ଆସି ମୁଣ୍ଡନ ତଥା ଲଣ୍ଡା ହେବା ଦେଖାଦେଇଛି।ପୂର୍ବରୁ ଶ୍ରଦ୍ଧାଳୁ ମାନସିକ ଧାରୀ ମାନେ ବଳଦେବ ଜିଉଙ୍କ ଠାରେ ମାନସିକ ରଖି କାର୍ଯ୍ୟସିଦ୍ଧ ହେବାପରେ ପୁଣି ବଳଦେବ ଜୀଉଙ୍କ ଠାରେ ମାନସିକ ରଖିଥିବା ପ୍ରକାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ମୁଣ୍ଡନ ବା ଲଣ୍ଡା ହେଉଛନ୍ତି ।
ଆଦିବାସୀ ବହୁଳ ଅଞ୍ଚଳର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ପ୍ରଭୁ ବଳଦେବ । ଶତାଧିକ ବର୍ଷର ପରମ୍ପରା ଅନୁଯାୟୀ ଏ ଅଞ୍ଚଳର ଲୋକଙ୍କ ମଧ୍ୟରେ ପ୍ରଗାଢ ଭାବେ ବିଶ୍ବାସ ରହିଛି ଯେ,ଏଠାରେ ପ୍ରଭୁ ବଳଦେବଙ୍କ ମନ୍ଦିରରେ ବଳଦେବ ଜୀଉଙ୍କୁ ଦର୍ଶନ ଲାଭ କରି ଯାହା ବର ମାଗିଲେ ମାନସିକ ରଖିଲେ ତାହା ପୂରଣ ହେବାସହ କାଯ୍ୟସିଦ୍ଧି ହୋଇଥାଏ ତେଣୁ ହେରାପଞ୍ଚମୀ ଦିନରେ ଏଠାରେ ପହଞ୍ଚି ଭକ୍ତମାନେ ମୁଣ୍ଡନ ହୁଅନ୍ତି।
ପାର୍ଶ୍ଵରେ ପ୍ରବାହିତ ହେଉଥିବା ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀରେ ବୁଡ଼ ପକାଇ ସ୍ନାନ କରିବା ପରେ ନିଶ୍ଚିତ ଛେନାପଣା ସହ ଫଳମୂଳ ପ୍ରଭୃତି ଭୋଗରାଗ ଧରି ପ୍ରଭୁ ବଳଦେବଜୀଉଙ୍କ ଠାରେ ଭୋଗଲାଗି କରି ପୂଜାର୍ଚ୍ଚନା କରିଥାନ୍ତି । ଭକ୍ତଙ୍କ କଥାଚିତ୍ର ଓ କିମ୍ବଦନ୍ତୀରୁ ଶୁଣାଯାଏ, କଳାପାହାଡ଼ ଯେତେବେଳେ ମନ୍ଦିର ଭାଙ୍ଗିଥିଲେ ସେତେବେଳେ ପୁରୀର ପ୍ରଭୁ ବଳଦେବଙ୍କୁ ଗଜପତି ମହାରାଜା ଏଠାକୁ ଆଣି ରଖିଥିଲେ । କାରଣ ଏ ଅଞ୍ଚଳ ସେତେବେଳେ ଘୋର ଜଙ୍ଗଲ ଥିଲା ଏବଂ ଜଙ୍ଗଲ ଭିତରେ ପ୍ରଭୁ ବଳଦେବଙ୍କୁ ଆଣି ଲୁଚାଇ ରଖିଲେ କେହି ଜାଣି ପାରିବେନି ଭାବି ଏଠାରେ ଆଣି ରଖିଥିଲେ । ଛେନାପଣା ପ୍ରଭୁ ବଳଦେବଙ୍କ ଅତ୍ୟନ୍ତ ପ୍ରିୟ ଖାଦ୍ୟ ହୋଇଥିବାରୁ ଏ ଅଞ୍ଚଳରେ ପ୍ରଭୁ ବଳଦେବଙ୍କୁ ବିଭିନ୍ନ ଦିନରେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ଛେନାପଣା ଭୋଗ ଲାଗି କରି ଆସୁଛନ୍ତି ।