ଭୁବନେଶ୍ୱର: ଟ୍ରାଙ୍କୁଲାଇଜ ହେବା ପରଠୁ ବଦଳି ଯାଇଛି ଜିନ୍ନତ। ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବା ପାଇଁ ୩ଟି ସଟ୍ ମରାଯାଇଥିଲା । ଯାହାର ପ୍ରଭାବରେ ବାଘୁଣୀ ଅସୁସ୍ଥ ହୋଇପଡିଛି । କୋଲକାତା ଆଲିପୁର ଚିଡିଆଖାନାରେ ୧୨ ଜଣିଆ ଟିମ୍ ଜିନତର ଚିକିତ୍ସା ଓ ନିରୀକ୍ଷଣ ଦାୟିତ୍ବରେ ଅଛନ୍ତି । ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତ କୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା ଆଲିପୁର ଚିଡ଼ିଆଖାନା। ଭିଭିଆଇପି କାରକେଡ୍ ଭଳି ଜିନ୍ନତକୁ ମିଳିଥିଲା କଡ଼ା ସୁରକ୍ଷା। ଏବେ ସେ ଆଲିପୁର ଚିଡ଼ିଆଖାନାର ସ୍ୱତନ୍ତ୍ର ଏନକ୍ଲୋଜରରେ ଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ଶିମିଳିପାଳ ଫେରିବ ।
ରବିବାର ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଗୋସାଇଣ୍ଡିହି ନିକଟ ଜଙ୍ଗଲରେ ଟ୍ରାଙ୍କୁଲାଇଜ ହୋଇଥିଲା ଜିନ୍ନତ । ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ତଡ଼ୋବା- ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଥିଲା ଜିନ୍ନତ । ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ଏହାକୁ ଅଣାଯାଇଥିଲା । ପ୍ରଥମେ ଦଶଦିନ ସ୍ବତନ୍ତ୍ର ଏନକ୍ଲୋଜରରେ ଏହାକୁ ରଖାଯାଇଥିଲା । ଡିସେମ୍ବର ୮ତାରିଖରୁ ଶିମିଳିପାଳରୁ ବାହାରି ଝାଡଖଣ୍ଡର ଚକୁଲିଆ ଜଙ୍ଗଲରେ ପଶିଥିଲା । ସେଠାରେ ସପ୍ତାହେ ଘୁରିବା ପରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ମୁହାଁଇଥିଲା ଜିନ୍ନତ । ୨୧ ଦିନ ପରେ ଜନ୍ତାକୁ ଫେରିଛି ଜିନ୍ନତ ।