୧୯୯୯ ଅକ୍ଟୋବର ୨୯ ତାରିଖର ମହାବାତ୍ୟା । ଆଜିକୁ ଠିକ୍ ୨୪ ବର୍ଷ ତଳେ ଓଡ଼ିଶାରେରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ ଆଉ ଲୋମ ଟାଙ୍କୁରୀ ଉଠେ । ୨୯ ତାରିଖ ସକାଳୁ ଜଗତସିଂହପୁର ଜିଲ୍ଲା ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ଘଣ୍ଟା ପ୍ରତି ପବନ ୩ ଶହ କିଲୋମିଟର ବେଗରେ ମାଡି ଆସିଥିଲା । ୩୦ ଘଂଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା । ମହାବାତ୍ୟାରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ । ଅନେକ ଘରଦ୍ୱାର, ଘର ଭାଙ୍ଗିବା ସହ ଅନେକ ଜୀବଜନ୍ତୁ ପ୍ରାଣ ହରାଇଥିଲେ । ସମୁଦ୍ରରୁ ୩୦ ଫୁଟ ଉଚ୍ଚର ସମୁଦ୍ରର ଲୁଣା ଜୁଆର ଉଠି ଏରସମାର ଭୌଗଳିକ ସ୍ଥିତି ଛାରଖାର କରିଦେଇଥିଲା । ଏହି ମହାବାତ୍ୟା ନେଇଥିଲା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ଜୀବନ । ଲକ୍ଷାଧିକ ଲୋକ ବାସହୀନ ହୋଇଥିଲା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିଲା । ଆଉ ଉପୁଡି ପଡିଥିଲା ବଡ଼ବଡ଼ ଗଛ ।
ଆଜି ବି ଏହି କରାଳ ବିଭୀଷିକାକୁ ଭୁଲି ପାରିନି ଓଡ଼ିଶା। ପ୍ରତ୍ୟେକ ଓଡ଼ିଶାବାସୀଙ୍କ ସ୍ମୃତିରେ ଆଜି ବି ସତେଜ ରହିଛି ଏହି ମହାବିପର୍ଯ୍ୟୟର ଦୃଶ୍ୟ । ସେଦିନର ଦୃଶ୍ୟ ଯେଉଁମାନେଦେଖିଛନ୍ତି ତାହା କେତେ ଭୟଙ୍କର ଥିଲା ସେ ହିଁ ଜାଣିଛନ୍ତି । ବର୍ତ୍ତମାନ ବଦଳି ଯାଇଛି ଓଡ଼ିଶାର ଅନେକ ଦୃଶ୍ୟପଟ୍ଟ । ଓଡ଼ିଶା ଆହୁରି ସାମ୍ନା କରିଛି ଏକାଧିକ ବାତ୍ୟା । ହେଲେ ସେସବୁର ଦୃଢ ମୁକାବିଲା କରିଛନ୍ତି ଓଡିଶା ବାସୀ ।