ଗଞ୍ଜାମ: ଘରୋଇ କଳି ନେଲା ଭୟଙ୍ଗର ରୂପ। ସ୍ତ୍ରୀ, ଛୁଆଙ୍କୁ ମାରିବାକୁ ଘର ଉଡ଼ାଇଲା ସ୍ୱମୀ। ଜିଲୋଟିନ୍ ବିସ୍ଫୋରଣ କରି ଜୀବନରୁ ମାରି ଦେବାକୁ ଉଦ୍ୟମ। ସ୍ବାମୀର ବୋମା ମାଡ଼ରେ ୩ ଘର ଛିନଛତ୍ର ହୋଇଯାଇଛି । ଏପରି ଏକ ଅଘଟଣ ଗଞ୍ଜାମ ଜିଲ୍ଲା କୁଶପଡ଼ା ଗାଁରୁ ଆସିଛି।
ସୂଚନା ଅନୁସାରେ ଉକ୍ତ ଗାଁରେ ଏକ ଭଡ଼ା ଘରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହେଲେ କିଛି ଦିନ ହେବ ଦୁହିଁଙ୍କ ଭିତରେ ଝଗଡ଼ା ଲାଗିରହୁଥିଲା । ଆଜି ସେହି ଘର କଳି ଘର ଜାଳି ଦେଇଛି । ସ୍ତ୍ରୀ ଗୀତା ଦୋରା ରହୁଥିବା ଘର ଉପରକୁ ବୋମା ଫିଙ୍ଗିଲା ସ୍ବାମୀ ସୁରେନ୍ଦ୍ର ଦୋରା । ଗାଁରେ ଦଣ୍ଡନାଚ ଦେଖିବାକୁ ସମସ୍ତେ ଯାଇଥିବା ବେଳେ ଏହି ବୋମା ମାଡ଼ ହୋଇଛି । ଫଳରେ କେହି ମୃତାହତ ହୋଇ ନାହାନ୍ତି । କିନ୍ତୁ ବୋମା ମାଡ଼ରେ ୩ଟି ଘର ଭାଙ୍ଗି ଯାଇଛି । ଆସବାବପତ୍ର ନିଷ୍ଟ ହୋଇ ଯାଇଛି। ଅଭିଯୁକ୍ତ ସ୍ବାମୀ ସୁରେନ୍ଦ୍ର ଦୋରାକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ଖବର ମୁତାବକ, ସୁରେନ୍ଦ୍ରର ଘର ବଲାଙ୍ଗିର ଜିଲ୍ଲାର ଗୌଡ଼ପାଲୀ ଗାଁରେ । ତାକୁ ଗଂଜାମ ଜିଲ୍ଲା କୁଶପଡ଼ା ଗାଁର ଗୀତା ଦୋରା ୯ ବର୍ଷ ତଳେ ବିବାହ କରିଥିଲେ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଯୋଗୁଁ ଗୀତା ପ୍ରାୟ ୭ ବର୍ଷ ତଳେ ତାଙ୍କ ଗାଁ କୁଶପଡ଼ାକୁ ଚାଲି ଆସିଥିଲେ । ଏକ ଭଡ଼ା ଘରେ ରହୁଥିଲେ। ସୁରେନ୍ଦ୍ର ମଧ୍ୟ କିଛି ଦିନ ତଳେ କୁଶପଡ଼ାକୁ ଆସିଥିଲା । ଏଠାରେ ମଧ୍ୟ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଆଜି ଗୀତା ବାହାରକୁ ଯାଇଥିବା ବେଳେ ସୁରେନ୍ଦ୍ର ବୋମା ଫିଙ୍ଗିଥିଲା। ଏଥିରେ ୩ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ପୋଲିସ ତାକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।