ଭୁବନେଶ୍ୱର: ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଶୁକ୍ରବାରକୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ତେଣୁ ଉପର ମୁଣ୍ତରେ ପାଣି ବଢିଯିବାରୁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଯାଇଛି, ଫଳରେ ମୁଣ୍ଡଳି ପହଞ୍ଚିଛି ହୀରାକୁଦ ପାଣି । ସକାଳ ୭ଟା ସୁଦ୍ଧା ମୁଣ୍ଡଳିରେ ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି। ଧିରେ ଧିରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ମୁଣ୍ଡଳୀ ମହାନଦୀର ଉପର ମୁଣ୍ଡରେ ୮୮.୨୦ ଫୁଟ୍ ଏବଂ ତଳ ମୁଣ୍ଡରେ ୮୫.୭୦ ଫୁଟ ଜଳସ୍ତର ରହିଛି ।
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ ଜଳସ୍ତର ଅଧିକା ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ କାଠଯୋଡି, କୁଆଖାଇ, ଦୟା ଆଦି ଅନେକ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ।
ସେପଟେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପାଇଁ ମାଲକାନାଗିରିରେ ସ୍କୁଲକୁ ଛୁଟି କରାଯାଇଛି। ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆବଶ୍ୟକ ପଡ଼ିଲେ ଅଗ୍ନିଶମ ସେବା ଓ ଓଡ୍ରାଫ ଟିମଗୁଡ଼ିକୁ ନିୟୋଜିତ କରିବାକୁ କୁହାଯାଇଛି ।