ଆମେ ସମସ୍ତେ ଶ୍ରବଣ କୁମାରର କାହାଣୀ ଜାଣିଛେ । କିପରି ପୁଅ ଶ୍ରବଣ କୁମାର ତାଙ୍କ ଅନ୍ଧ ମାତା ଓ ପିତାଙ୍କୁ ତୀର୍ଥ ସ୍ଥାନ ଦର୍ଶନ କରିବା ପାଇଁ ନିଜ କାନ୍ଧରେ ଭାର ବୋହି ନେଇ ଯାଇଥିଲେ । ପୁଣିଥରେ ସେହିପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ବାପା ନିଜ କାନ୍ଧରେ ଭାର ବୋହି ତାଙ୍କ ପୁଅ ଏବଂ ଝିଅକୁ ମହାପଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ନେଇଯାଇଥିଲେ । ଏବେ ଏହି ଦୃଶ୍ୟଟି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଟଣୀ କୁସୁମାଟିର ବାସିନ୍ଦା ଅଜୟ କୁମାର ଖମାରୀ । ଦୀର୍ଘ ଦିନ ଧରି ତାଙ୍କ ପୁଅ ଅସୁସ୍ଥ ଥିଲେ । ଏହାସହ ଆଇସିୟୁରେ ତାଙ୍କ ପୁଅର ଚିକିତ୍ସା ଚାଲିଥିଲା । ଏଥିପାଇଁ ସେ ପୁଅ ଭଲ ହେବା ପରେ ପୁଅ ଓ ଝିଅକୁ ଭାରାରେ ଆଣି ଜଗା ଦର୍ଶନ କରିବେ ବୋଲି ମାନସିକ ରଖିଥିଲେ । ମାନସିକ ପୂରଣ ହେବା ପରେ ପୁଅ ଝିଅଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ଅଜୟ କୁମାର ଗତକାଲିଠୁ ଚାଲି ଚାଲି ଆସି ଆଜି ସକାଳୁ ପୁରୀରେ ପହଞ୍ଚିଥିଲେ । ଏହାପରେ ତାଙ୍କ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏବେ ଏହି ଭିଡ଼ିଓକୁ ଯିଏ ବି ଦେଖୁଚି ସେ କହୁଛି, ସତ... ବାପା ପରି କିଏ ହେବ !