କଟକ: ହାଇପ୍ରୋଫାଇଲ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହଂସିତା ଓ ଅନିଲ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉଭୟଙ୍କ ବିରୋଧରେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ବିରୋଧରେ ଅନେକ ଠକେଇ ମାମଲାର ତଦନ୍ତ ଚଳାଇଛି ପୋଲିସ ।
ଏହା ପୂର୍ବରୁ ଜାନୁଆରୀ ୧୮ରେ ଶୁଣାଣି ସମୟରେ ହଂସିତା ଓ ଅନିଲଙ୍କ ଜାମିନ ଖାରଜ କରିଥିଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ । ଏଥିସହ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଏଡିଜେ-୨ କୋର୍ଟରେ ଆବେଦନ କରିଥିଲା କମିଶନରେଟ୍ ପୋଲିସ ।
କଳାହାଣ୍ଡିରୁ ଆସି ରାଜ୍ୟ ରାଜଧାନୀ ଏବଂ ଜାତୀୟ ରାଜଧାନୀରେ କୋଟି କୋଟି ଟଙ୍କାର ଠକେଇ କରିଥିବା ବିଷ୍ଣୁପ୍ରିୟା ଓରଫ୍ ହଂସିତା ଅଭିଲିପ୍ସା । ହଂସିତାଙ୍କ ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍ ରାକ୍ଷୀ ହୋଇଥିବାବେଳେ ଘର କଳାହାଣ୍ଡି ଜିଲ୍ଲା ନର୍ଲାରେ । ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଏହା ସେ ଅନେକ ବିକ୍ଷୋଭ ଓ ଆନ୍ଦୋଳନ ମଧ୍ୟ କରିଛନ୍ତି । କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ତାଙ୍କୁ ପଇସାର ଲୋଭ ଗ୍ରାସ କରିଥିଲା । ତାଙ୍କର ପ୍ରକୃତ ସ୍ୱାମୀ ସରୋଜ ହୋଇଥିବା ବେଳେ ନିଜର କ୍ରାଇମ ପାର୍ଟନର ଅନୀଲଙ୍କ ସହିତ ମିଶି ସ୍ୱାମୀ ସ୍ତ୍ରୀର ନାଟକ ରଚିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡାକ୍ତର ପି.କେ ମିଶ୍ର ପୁଅ ବୋହୁ କହି ଖଣି ବ୍ୟବସାୟୀ, ବିଲଡର୍, ଠିକାଦାରଙ୍କୁ ଲୁଟି ଥିଲେ । ଟେଣ୍ଡର୍ ପାସ କରାଇଦେବେ କହି କୋଟି କୋଟି ଟଙ୍କା ଠକେଇ କରିଥିଲେ । ତେବେ ଉଭୟଙ୍କୁ ଗିରଫ କରାଯିବା ପରେ ଗତକାଲି ଆୟକର ବିଭାଗ ହଂସିତାଙ୍କର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା ।