ଭିଜିଲାନ୍ସ ଜାଲରେ GST ଅଧିକାରୀ ମାନସ ରଂଜନ ବେହେରା। ଗିରଫ ଜିଏସଟି ଅଧିକାରୀ ଜଣକ ପୁରୀ ଜିଲ୍ଲା ଜିଏସଟି ଅଫିସରେ ଏନଫୋର୍ସମେଣ୍ଟ ୟୁନିଟର ବୋଲି ଜଣା ପଡିଛି। ତେବେ ମାନସ ଗାଡ଼ି ରିଲିଜ୍ କରିବା ପାଇଁ ଉପେନ୍ଦ୍ର ପଣ୍ଡାଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଯାଇଥିଲା। ଗୁରୁବାର ଦିନ ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟି ଆଣ୍ଡ ଜିଏସ୍ଟି, ଏନ୍ଫୋର୍ସମେଣ୍ଟ ୟୁନିଟ୍ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଟ୍ରାକ୍ କରିବାରେ ସଫଳ ହୋଇଛି ଭିଜିଲାନ୍ସ ୟୁନିଟ୍।ଏଥିସହ କାର୍ଯ୍ୟାଳୟରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ଉପେନ୍ଦ୍ର ପଣ୍ଡାଙ୍କୁ କିଛି ଦିନ ତଳେ GST ଫାଙ୍କିବା ଅଭିଯୋଗରେ ୭୯ ହଜାର ୨୦୦ ଟଙ୍କା ଜରିମାନା କରାଯାଇଥିଲା । ତେବେ ତାଙ୍କ ଗାଡ଼ିକୁ ସେ ଆଣିବାକୁ ଚାହୁଁଥିବା ବେଳେ ଏଥିପାଇଁ ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମାନସ। ଏହି ଘଟଣା ସମ୍ପର୍କରେ ଅଭିଯୋଗକାରୀ ଉପେନ୍ଦ୍ର ପଣ୍ଡା ଭିଜିଲାନ୍ସକୁ ଖବର ଦେଇଥିଲେ ।
ତେବେ ପୂର୍ବ ଯୋଜନା ଅନୁସାରେ, ଗୁରୁବାର ପୁରୀ ଜିଲ୍ଲା ସ୍କୁଲ ସାମ୍ନାରେ ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ଅଧିକାରୀ ରେଡ କରି ଲାଞ୍ଚ ଟଙ୍କା ସହ ଜିଏସଟି ଅଧିକାରୀ ମାନସଙ୍କୁ ଗିରଫ କରିଛନ୍ତି। ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସପିଙ୍କ ସହ ଦୁଇଟି ଟିମ୍ ମଧ୍ୟ ଏହି ଚଢ଼ାଉରେ ସାମିଲ୍ ଥିଲେ ।
ଅଧିକ ପଢନ୍ତୁ: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ