ବାଲିଗୁଡା: ସାମାନ୍ୟ ବଚସାରୁ ଘଟିଗଲା ଅମାନବୀୟ କାଣ୍ଡ। କାଠ ଫାଳିଆରେ ପିଟି ପିଟି ସାଙ୍ଗକୁ ହତ୍ୟା କଲା ସାଙ୍ଗ। ବାଲିଗୁଡା ହାଟପଦା ସାହିରେ ଏହି ଜଘନ୍ୟକାଣ୍ଡ ଘଟିଛି। ମୃତକ ହେଲେ ହାଟପଦା ସାହିର ଶଙ୍କର ନାୟକ। ଖବରପାଇ ଫୁଲବାଣୀ ସଦର ଡ଼ିଏସପି ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମୁଣ୍ଡାସାହିର ଶଙ୍କର ନାୟକ ଓ ନିରାକାର ନାୟକ ଏକାଠି ମିଶି ମଦ୍ୟପାନ କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନିରାକାର ନାୟକ ସାଙ୍ଗ ଶଙ୍କର ନାୟକକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲା। ଏହାପରେ ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଫୁଲବାଣୀ ସଦର ଡ଼ିଏସପି ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ନିରାକାର ନାୟକକୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି।