ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ। ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଛି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ। ବଡପୁଅ ସୌମେନ୍ଦ୍ର ପିତାଙ୍କୁ ମୁଖାଗ୍ନି ଦେଇଥିଲେ। ତେବେ ଶେଷକୃତ୍ୟ ପୂର୍ବରୁ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆ ଯାଇଥିଲା। ଦେବେନ୍ଦ୍ରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଗୁରୁ ବାବା ରାମଦେବଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏକାଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିଥିଲେ।
ଆଜି ସକାଳୁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରୁ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ପୁରୀ ଅଭିମୁଖେ ନିଆ ଯାଇଥିଲା। ଦେବେନ୍ଦ୍ରଙ୍କ ଶେଷ ଯାତ୍ରାରେ ସାମିଲ୍ ହୋଇଥିଲେ ହଜାର ହଜାର ଲୋକ। ପାର୍ଥିବ ଶରୀରକୁ ପୁରୀ ନେବା ରାସ୍ତାରେ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏପରିକି ତାଙ୍କ ଶେଷ ଦର୍ଶନ ନିମନ୍ତେ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ ସମସ୍ତ ଶୁଭେଛୁ ମାନେ ଅପେକ୍ଷାରତ ଥିଲେ।
ଗତକିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ଥିଲେ ଡଃ ଦେବେନ୍ଦ୍ର ପ୍ରଧାନ। ଫଳରେ ସୋମବାର ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନର ଶେଷନିଶ୍ବାସ ତ୍ୟାଗ କରିଥିଲେ ଡଃ ପ୍ରଧାନ। ତେବେ ବିଶିଷ୍ଟ ରାଜନେତା ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମେନ୍ଦ୍ରଙ୍କ ବାସଭବନରେ ପହଂଚି ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏପରିକି ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ରଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହିତ ଯେତେବେଳେ ତାଙ୍କ ପାର୍ଥିବ ଶରୀରରକୁ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ ଅଣାଯାଇଥିଲା ସେଠି ମଧ୍ୟ ଅନେକ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ।