ଖୁବଶୀଘ୍ର ବିଜେପି ଓଡିଶା ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଥିବା ବେଳେ ଏହା ୧୦୦ ଜଣିଆ ପ୍ରାର୍ଥୀ ଲିଷ୍ଟ୍ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ସମ୍ପର୍କରେ ଗୁରୁବାର ବିଳମ୍ବିତ ରାତିରେ କୋର୍ କମିଟି ବୈଠକରେ ଚୂଡ଼ାନ୍ତ ମୋହର ବାଜିଥିବା ସୂଚନା ମିଳିଛି । ବିଜେପି ଅଧ୍ୟକ୍ଷ ଜେ.ପି. ନଡ଼ା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ତିନି ଘଣ୍ଟା ଯାଏ ଏହି ସମ୍ପର୍କରେ ଆଲୋଚନା ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ୧୮ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ କେବଳ ଯାଜପୁର, କଟକ ଓ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀ ତାଲିକାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଥିବା ବେଳେ
ଗୁରୁବାର ଅପରାହ୍ନରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ମିଶ୍ରଣ ପର୍ବ ପରେ ସନ୍ଧ୍ୟାରେ କୋର୍ କମିଟି ବୈଠକ (CEC) ବସିଥିଲା । ଏହି ବୈଠକରେ ରାଜ୍ୟ ସଭାପତି ଓ ସମ୍ପାଦକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଉପସ୍ଥିତ ଥିଲେ ।
ଗୁରୁବାର ସନ୍ଧ୍ୟାରେ ଦୀର୍ଘ ସମୟ ଯାଏ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହେବା ପରେ ଗୃହମନ୍ତ୍ରୀ ଅମିତ ଶାହ ଆସି ବୈଠକରେ ସାମିଲ ହୋଇଥିଲେ। ତେବେ ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ୩ଟି ଲୋକସଭା ଆସନ ସହିତ ୧୦୦ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବାର ଆଶା ରହିଛି। ଏନେଇ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ୧୦୦ଜଣିଆ ତାଲିକା ଚୂଡ଼ାନ୍ତ ହୋଇଛି ଏବଂ ଦିନେ ବା ଦୁଇ ଦିନ ଭିତରେ ଏହା ଘୋଷଣା କରାଯିବ।
ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ GST ଅଧିକାରୀ