ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା। ଆଉ ନାହାନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
ସୂଚନା ଅନୁଯାୟୀ, ଗତ ୧୨ ତାରିଖ (ଗୁରୁବାର) ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ସମୟରେ ଗୀତା ପଟ୍ଟନାୟକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେ ମସ୍ତିଷ୍କାଘାତର ଶିକାର ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ (ICU) ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
୧୯୭୦ ଦଶକରୁ ଓଡ଼ିଆ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଗୀତା ପଟ୍ଟନାୟକ। ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଧୁନିକ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସହ ଅନେକ ଲୋକପ୍ରିୟ ଡୁଏଟ୍ ଗୀତ ଗାଇ ଶ୍ରୋତାଙ୍କ ହୃଦୟ ଜିତିଥିଲେ। 'ଏମିତି ପୁଅକୁ ମୁଁ ବାହା ହୁଅନ୍ତି', 'ବାହା ମୁଁ ହେବି', ଏବଂ 'ମୋ ଦେହରେ' ଭଳି ଅନେକ ସୁପରହିିଟ୍ ଗୀତରେ ସେ ନିଜର କଣ୍ଠଦାନ କରିଥିଲେ। ତାଙ୍କର ବିୟୋଗ ଓଡ଼ିଆ କଳା ଓ ସଙ୍ଗୀତ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି।