ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଥରେ ଉଠିଲା ପ୍ରଶ୍ନ ।ବେଆଇନ ଭାବେ ଶ୍ରୀମନ୍ଦିର ଉପରେ ଉଡୁଥିବା ଡ୍ରୋନ୍ ଜବତ ହୋଇଛି । ଗତକାଲି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏବଂ ଶ୍ରୀମନ୍ଦିର ପରିକ୍ରମା ପରିସର ଉପରେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାଟି ପୁରୀ ଏସପି ପ୍ରତୀକ ସିଂହଙ୍କ ନଜରକୁ ଆସିବା ପରେ ସେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ ସିଂହଦ୍ୱାର ଥାନା ଓ ପୁରୀ ପୋଲିସର ଏକ ବିଶେଷ ଟିମ୍କୁ ତତକ୍ଷଣାତ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଅନୁଯାୟୀ ଡ୍ରୋନ ଉଡୁଥିବା ଦେଖି ସିଂହଦ୍ୱାର ଥାନା ପୋଲିସ ଏବଂ ପୁରୀ ପୋଲିସ ଟିମ୍ ଡ୍ରୋନଟିକୁ ଗୋଡେଇ ମରିଚିକୋଟ ‘ଶନି ମନ୍ଦିର ଗଳି’ ରେ ଜବତ କରିଥିଲେ । ଡ୍ରୋନ ଉଡାଉଥିବା ବ୍ୟକ୍ତି ଛତିଶଗଡ଼ର ଦୁର୍ଗା ପ୍ରସାଦ ଯାଦବ ନାମକ ଯୁବକଙ୍କୁ ସିଂହଦ୍ୱାର ପୋଲିସ ଅଟକ ରଖିଛି।
ଶ୍ରୀମନ୍ଦିର ଓ ଏହାର ପରିସରରେ ଯେକୌଣସି ପ୍ରକାର ଡ୍ରୋନ ଉଡାଇବା ନିଷେଧ ଥିବା ସତ୍ତ୍ୱେ ଏହି ଅବୈଧ କାର୍ଯ୍ୟ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରେ ଜଣାପଡିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି।ପୁରୀ ପୋଲିସ ସମସ୍ତଙ୍କୁ ଆହ୍ୱାନ କରିଛି ଯେ ଶ୍ରୀମନ୍ଦିର ଓ ଏହାର ସୁରକ୍ଷା ନିୟମକୁ ସମ୍ମାନ କରନ୍ତୁ ଏବଂ ଏପରି ଅବୈଧ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।